ନୂଆଦିଲ୍ଲୀ,ଏଜେନ୍ସି: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ପ୍ରକୋପ ଏକ ପ୍ରକାର ନିୟନ୍ତ୍ରଣକୁ ଆସିଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରେକର୍ଡ ସଂଖ୍ୟାରେ ଆକ୍ରାନ୍ତମାନେ ସୁସ୍ଥ ହେଉଛନ୍ତି। ଏହି କାରଣରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ କମ ରହିଛି। ଏହାରି ମଧ୍ୟରେ ଗତବର୍ଷ ମାର୍ଚ୍ଚ ମାସଠାରୁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ଆଜି ପୁଣି ଖୋଲାଯାଇଛି। ଏହା ବ୍ୟତୀତ ରାଜସ୍ଥାନରେ ମଧ୍ୟ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯିବେ। ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି।
ଦିଲ୍ଲୀ ସ୍କୁଲ ଗୁଡିକ ଏହା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଛି। ରାଜ୍ୟର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ରବିବାର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହା ପରେ ସେ ଟୁଇଟ କରି ସ୍କୁଲ ଖୋଲିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏଥି ସହିତ ପୁଣି ଥରେ ସ୍କୁଲ ଖୋଲୁଥିବାରୁ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି।
ନିଜର ଟୁଇଟରେ ସେ ଲେଖିଛନ୍ତି ଯେ, ଶିକ୍ଷା ବିଭାଗ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛି। ପ୍ରାକ୍ଟିକାଲ ଓ କାଉନସେଲିଂ ଲାଗି ୧୦ମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ସ୍କୁଲକୁ ଡକାଯିବା ପରେ ଅନେକ ଉତ୍ସାହିତ ଥିବା ବେଳେ କିଛି ଲୋକ ଚିନ୍ତିତ ହୋଇପଡ଼ିଛନ୍ତି। ସାନିଟାଇଜର, ମାସ୍କ, ସାମାଜିକ ଦୂରତାକୁ ପାଳନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।