ଡିସେମ୍ବର ୨ ରୁ ‘ନେଟ୍’, ସେପ୍ଟେମ୍ବର ୯ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୯ ୟୁଜିସି ‘ନେଟ୍’ (ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ) ଆସନ୍ତା ଡିସେମ୍ବର ୨ରୁ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ସର୍ବଭାରତୀୟସ୍ତରରେ ସେପ୍ଟେମ୍ବର ୯ରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନକାରୀମାନେ ସେମାନଙ୍କର ପଞ୍ଜିକରଣ ଅନଲାଇନ ମାଧ୍ୟମରେ କରିବେ।

ଆବେଦନ ଲାଗି ନାମ ପଞ୍ଜିକରଣର ଶେଷ ତାରିଖ ଅକ୍ଟୋବର ୯ ଧାର୍ଯ୍ୟ ହେଇଛି। ଆବେଦନକାରୀଙ୍କୁ ପରୀକ୍ଷା ଲାଗି ଆଡମିଟ୍ କାର୍ଡ ନଭେମ୍ବର ୯ରୁ ପ୍ରଦାନ କରାଯିବ। ଡିସେମ୍ବର ୨ରୁ ୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହାର ରେଜଲ୍ଟ ଡିସେମ୍ବର ୩୧ରେ ପ୍ରକାଶ ପାଇବ।

ଚଳିତବର୍ଷ ଏହି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରିଚାଳନା କରିବ। ପରୀକ୍ଷାର ଅବଧି ୩ଘଣ୍ଟା ରହିବ। ଏହି ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥିମାନେ କୃତକାର୍ଯ୍ୟ ହେବେ ସେମାନେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ। ଏହି ପରୀକ୍ଷା ଲାଗି ସାଧାରଣବର୍ଗର ପ୍ରାର୍ଥୀମାନେ ୮୦୦ଟଙ୍କା ପୈଠ କରିବାକୁ ପଡ଼ିବ।

ସେହିପରି ଓବିସି ବର୍ଗର ପ୍ରାର୍ଥୀଙ୍କ ଲାଗି ୪୦୦ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସମେତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଲାଗି ୨୦୦ଟଙ୍କା ପୈଠ କରିବାକୁ ଧାର୍ଯ୍ୟ ହୋଇଛି। ପରୀକ୍ଷାରେ ପରୀକ୍ଷାର୍ଥୀମାନେ ଉଭୟ ପେପର-୧ ଏବଂ ପେପର-୨ ପରୀକ୍ଷା ଦେବେ। ସେଥିରୁ ପେପର-୧ର ଅବଧି ୧ଘଣ୍ଟା ଏବଂ ପେପର-୨ ପରୀକ୍ଷାର ଅବଧି ୨ଘଣ୍ଟା ରହିବ।

ସେହିପରି ୨୦୨୦ ୟୁଜିସି ‘ନେଟ୍’ (ନ୍ୟାସନାଲ ଏଳିଜିବିଲିଟି ଟେଷ୍ଟ) ଜୁନ୍ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୬ରୁ ଏପ୍ରିଲ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୧୫ରେ ପିଲାଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ଏହି ପରୀକ୍ଷାର ରେଜଲ୍ଟ ଜୁଲାଇ ୫ତାରିଖରେ ପ୍ରକାଶ ପାଇବ ବୋଲି ୟୁଜିସି ପକ୍ଷରୁ ଜଣାପଡ଼ିଛି।