କୁମାର ପୂର୍ଣ୍ଣିମାରୁ ଆମେରିକାରେ ଛବିରାଣୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪୦ ବର୍ଷ ବିତିଯାଇଥିଲେ ବି ଓଡିଶାବାସୀଙ୍କ ମାନସପଟରୁ ଲିଭିନାହିଁ ସେଦିନର ଭୟଙ୍କର ଘଟଣାବଳୀ। ସାମ୍ବାଦିକତା ଓ ରାଜନୀତିର ପଶା ଖେଳରେ ବଳି ପଡିଯାଇଥିଲା ଜଣେ ନିରୀହ ମହିଳାଙ୍କ ଜୀବନ। ସେହି କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ ବବି ଇସଲାମ ତିଆରି କରିଛନ୍ତି ଓଡିଆ ଚଳଚ୍ଚିତ୍ର ଛବିରାଣୀ।

ଏହି ଫିଲ୍ମର ସୁଟିଂ ଶେଷ ହୋଇଛି ଓ ଆସନ୍ତା କୁମାର ପୂର୍ଣ୍ଣମୀରେ ଫିଲ୍ମ ଆମେରିକାର ବୋଷ୍ଟନ ଠାରେ ରିଲିଜ୍ ହେବ। ଏହି ଫିଲ୍ମକୁ ବବି ପ୍ରଯୋଜନା କରିବା ସହ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ।

ଏହି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରି ଅନେକ ଭେଟେରାନ କଳାକାର ଭିନ୍ନ ଭୂମିକାରେ ନଜରକୁ ଆସିବେ। ଏହାସହ ଦୁଇ ନୂଆ କଳାକାର ଅମନ ଓ ଚନ୍ଦ୍ରାଣୀ ନାମ ଚରିତ୍ରରେ ଅଭିନୟ କରିବେ।

ଏନେଇ ବବି କହିଛନ୍ତି ଯେ ଯଦିଓ ଏହା ଓଡିଶାର ନିରୀହ ଝିଅର ଚରିତ୍ର କିନ୍ତୁ ଏହା ସମଗ୍ର ନାରୀଜାତି ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏକ କାହାଣୀ। ଏହା ଓଡିଶାର ସତ୍ୟ କାହାଣୀ ଉପରେ ପର୍ୟ୍ୟବେସିତ କିନ୍ତୁ ଆମେ ଏଥିରେ କିଛି ନୂତନତା ଦେବାକୁ ଚେଷ୍ଟା କରିଛୁ।