ବିଧାନସଭାର ସବୁ ଫାଇଲ୍ କାର୍ଯ୍ୟ ଅନଲାଇନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓସ୍ୱାସ ତରଫରୁ ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଡିଜିଟାଲ ହେବ । ଏହାକୁ ଉଦଘାଟନ କରିଛନ୍ତି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର। ଡ. ପାତ୍ର ଏହି ଅବସରରେ କହିଛନ୍ତି ଯେ, ଅନଲାଇନ୍ ଜରିଆରେ ଫାଇଲ୍ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ୍, ଓସ୍ୱାସ୍ ନିର୍ବାହୀ ଅଧିକାରୀ ଲିଲାନ୍ଦ୍ରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ କୋଭିଡ୍ ନିୟମ ପାଳନ ଭିତରେ ବିଧାନସଭା ଗୃହ ବିବରଣୀ ପୁସ୍ତିକାକୁ ବାଚସ୍ପତି ମଧ୍ୟ ଉନ୍ମୋଚିତ କରିଥିଲେ। ବାଚସ୍ପତି କହିଥିଲେ, ବିଧାନସଭା ଗୃହ ବିବରଣୀ କେବଳ ବିଧାନସଭାର ନୁହେଁ ବରଂ ରାଜ୍ୟର ଏକ ଅମୂଲ୍ୟ ସଂପଦ। ସଭ୍ୟମାନେ ପବିତ୍ର ଗୃହରେ ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ ସଂକ୍ରାନ୍ତରେ ପ୍ରଦାନ କରୁଥିବା ମତାମତ ଓ ପରାମର୍ଶ ଭବିଷ୍ୟତ ପାଇଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବ। ଚଳିତ ବିଧାନସଭାର ଚତୁର୍ଥ ଅଧିବେଶନର ପ୍ରଥମ ଦୁଇଦିନ ଅର୍ଥାତ ୨୯ ସେପ୍ଟେମ୍ବର ଓ ୩୦ ସେପ୍ଟେମ୍ବରରେ ଗୃହ ବିବରଣୀ ପୁସ୍ତିକା ଆକାରରେ ପ୍ରକାଶିତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।
ପୁସ୍ତିକା ପ୍ରକାଶନରେ ବିଧାନସଭାରେ କାର୍ଯ୍ୟରତ ଯୁଗ୍ମ ସଚିବ ବିବରଣୀ ପ୍ରଭାତ କୁମାର ସ୍ୱାଇଁ, ବସନ୍ତ କୁମାର ରାଉତ, ରିପୋର୍ଟର ନିରଞ୍ଜନ କର, ଦିଲ୍ଲୀପ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମଧୁସୂଦନ ସାହୁ,ଭବାନୀପ୍ରସାଦ ପାଟ୍ଟଯୋଷୀ, ଶୁଭେନ୍ଦୁ କୁମାର ମିଶ୍ର ସହଯୋଗ କରିଥିଲେ । ନେଭା ସେଲରେ କାର୍ଯ୍ୟରତ ସୌଭେନ୍ଦ୍ର କୁମାର ମିଶ୍ର, ବିଶ୍ୱଜିତା ବେହେରା, ଶ୍ରୀପଦା ସ୍ୱାଇଁ, ରାହୁଲ ବୈଦ୍ୟ ବୈଷୟିକ ସହଯୋଗ ପ୍ରଦାନ କରିଥିଲେ ।