ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି।
ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ୫୦୦ଟି ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି।