କଟକ,ଏନ୍ଏନ୍ଏସ୍ : ଗ୍ୟାଙ୍ଗଷ୍ଟର୍ ଡି-ବ୍ରଦର୍ସଙ୍କ ଘରୁ ଯେତେ ଖୋଳିଲେ ସେତେ ବାହାରୁଛି ବନ୍ଧୁକ ଆଉ ଗୁଳି। ଆଜି ମଧ୍ୟ କମିଶନରେଟ ପୁଲିସ ଜବତ କରିଛି ୩ ବନ୍ଧୁକ, ୫ ମାଗାଜିନ, ୧୭୫ ଗୁଳି ଓ ୧୬ ଲକ୍ଷ ୫୦ ହଜାର ଟଙ୍କା। ସୁଶାନ୍ତ ଓ ସୁଶୀଲ ଜେଲରେ ଥିଲେ ମଧ୍ୟ ସହଯୋଗୀମାନଙ୍କ ସହାୟତାରେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ ବୋଲି ଡିସିପି ପ୍ରତୀକ ସିଂହ ସ୍ୱୀକାର କରିଛନ୍ତି। ବାଲିଘାଟ ଓ ମଦ ଦୋକାନରୁ ନିୟମିତ ବଟି ଆଦାୟ ଚାଲୁଥିଲା। ଭୟରେ ବ୍ୟବସାୟୀ ପୁଲିସକୁ ନ ଜଣାଇ ଡି ବ୍ରଦର୍ସଙ୍କ ଘରେ ପହଞ୍ଚାଉଥିଲେ ବଟି। ଜବତ ହୋଇଥିବା ଟଙ୍କା ସବୁ ବିମୁଦ୍ରାୟନ ପରର। ଏପର୍ଯ୍ୟନ୍ତ ଘରର ୫୦ ପ୍ରତିଶତ ଇଣ୍ଟେରିୟର ଡେକୋରେସନକୁ ଭଙ୍ଗା ସରିଥିବା ବେଳେ ଆଗାମୀ ଦିନରେ ଚଢଉ ଓ ପଚରା ଉଚରା ଜାରି ରହିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି। ଏବେବି ଉଭୟଙ୍କୁ ଜେରା ଜାରି ରହିଥିବା ବେଳେ ଆବଶ୍ୟକ ପଡିଲେ ପୁନର୍ବାର ରିମାଣ୍ଡ ଅବଧି ବଢାଇବାକୁ ଆବେଦନ କରାଯାଇପାରେ ବୋଲି ସେ କହିଛନ୍ତି। ତେବେ ଉଭୟ ଭାଇ ତଦନ୍ତରେ ଆଖି ଦୃଷ୍ଟିଆ ସହଯୋଗ କରୁନଥିବାରୁ ଘରର ଇଣ୍ଟେରିୟର ଡେକୋରେସନ୍ କରିଥିବା କମ୍ପାନୀ ଓ ବ୍ୟକ୍ତିବିଶେଷ ସନ୍ଧାନରେ ପୁଲିସ ରହିଥିôବା ବେଳେ ତାଙ୍କଠାରୁ ହିଁ ଧଳସାମନ୍ତ ଭ୍ରାତାଙ୍କ ସମସ୍ତ ସିକ୍ରେଟ୍ ଚାମ୍ବରର ପତ୍ତା ମିଳିପାରିବ ବୋଲି ପୁଲିସ ଆଶା ରଖିଛି।
ସୁଶୀଲ ଓ ସୁଶାନ୍ତର ତିନି ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି। ତିନି ଦିନ ଧରି ପଚରା ଉଚରା ଫଳରେ ମିଳୁଥିବା ସୂଚନା ଆଧାରରେ ଡି-ବ୍ରଦର୍ସଙ୍କ ସିଡିଏ ବାସଭବନରେ ଚଢଉ କରାଯାଇଥିଲା। ଦୁଇ ଭାଇଙ୍କୁ ପୃଥକ୍ ପୃଥକ୍ ଭାବେ କଡା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା। ବଡଭାଇ ସୁଶାନ୍ତ କୈାଣସି ସୂଚନା ଦେଇନଥିଲା। ତେବେ ସୁଶୀଲର ସୂଚନା ଆଧାରରେ ତାର ବେଡରୁମ୍ରୁ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା ଓ କାନ୍ଥ ଛାତର ସିଲିଂ ଓ ଛାତ ଉପର ପାଣି ଟାଙ୍କି ତଡାଯାଇ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ଏପର୍ଯ୍ୟନ୍ତ ଘରର ୫୦ ପ୍ରତିଶତ କାନ୍ଥ ଓ ଛାତ ଆଦିର ଇଣ୍ଟରିୟର ଡେକୋରେସନକୁ ପୁଲିସ ଭାଙ୍ଗି ସାରିଲାଣି।