ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସମନ‌

ନୂଆଦିଲ୍ଲୀ,ଏଜେନ୍ସି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଣି ଥରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳଙ୍କୁ ଘଟଣାର ରିପୋର୍ଟ ମାଗିଥିଲେ। ରାଜଭବନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଗୁରୁବାର ଘଟଣା ବେଳେ ସ୍ଥାନୀୟ ପୁଲିସ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼କାଡ଼ି କରିବାର ଥିଲା।

ହେଲେ ପୁଲିସ ପ୍ରୋଟକଲକୁ ଉଲ୍ଲଙ୍ଘନ କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉକ୍ତ ରାସ୍ତାରେ ଯିବାର ଥିଲା ବୋଲି ବହୁ ପୂର୍ବରୁ ପୁଲିସକୁ କୁହାଯାଇଥିଲା। ହେଲେ ପୁଲିସ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନଥିଲା। ଏଥିସହ ରାଜ୍ୟପାଳ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ସେ ବେଙ୍ଗଲର ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି। ଏଥିସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ବେଙ୍ଗଲ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରାଯାଇଛି। ଡିସେମ୍ବର ୧୪ରେ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି।

ଗୁରୁବାର ଜେପି ନଡ୍ଡାଙ୍କ ସହ ବହୁ ବରିଷ୍ଠ ନେତା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଯାଉଥିଲେ। ଏହି ସମୟରେ ସେମାନଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ବିଜେପି ନେତା ମୁକୁଲ ରୟ ଓ ବିଜୟଭର୍ଗୀୟା ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ଆକ୍ରମଣ ପଛରେ କ୍ଷମତାସୀନ ଟିଏମସିର ହାତ ଥିବା ବିଜେପି କହିଛି।