ଆକାଶକୁ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଠକେଇ, ଜାଲିଆତି ଓ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ-ପୁଅଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସେମାନଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ଖୋଳତାଡ କରୁଛି। ଖୁବଶୀଘ୍ର ଏମାନଙ୍କୁ ଇଡି ଜେରା କରିବ। ସମସ୍ତ ୩ଜଣ ଅଭିଯୁକ୍ତଙ୍କୁ ଝାରପଡା ଜେଲରେ ଜେରା କରାଯିବ। ଏଥିପାଇଁ ଇଡି ପକ୍ଷରୁ ଭୁବନେଶ୍ୱର ଏସଡିଜେମଙ୍କ କୋର୍ଟରେ ଆବେଦନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଜେଲରେ ଜେରା କରାଯିବ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୬ ମାସ ମଧ୍ୟରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ୨.୬୩ କୋଟି ଟଙ୍କା ଜମା ହୋଇଥିଲା। ନିୟମିତ ବ୍ୟବଧାନରେ କିଛି ବ୍ୟକ୍ତି ତାଙ୍କ ଆକାଉଣ୍ଟକୁ ଲକ୍ଷଲକ୍ଷ ଟଙ୍କା ଟ୍ରାନ୍ସଫର ଓ ନଗଦ ଆକାରରେ ଜମା କରିଥିଲେ। ତାଙ୍କ ଆକାଉଣ୍ଟରେ କିଏ, କେଉଁ ଉର୍ଦ୍ଦେଶ୍ୟରେ ଏତେ ଟଙ୍କା ଜମା କରିଥିଲେ, ଏହା କେଉଁଠି ବିନିଯୋଗ ହୋଇଥାନ୍ତା, ତାହାର ତଦନ୍ତ କରାଯାଉଛି। ବ୍ୟାଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଉକ୍ତ ତଥ୍ୟ ଆଧାରରେ ତଦନ୍ତ କରାଯାଉଥିବା ବେଳେ ଯେଉଁମାନେ ଟଙ୍କା ଜମା କରିଛନ୍ତି, ସେମାନଙ୍କୁ ମଧ୍ୟ ତଦନ୍ତ ପରିସରର୍ଭୃକ୍ତ କରାଯିବ। ପ୍ରାଥମିକ ତଦନ୍ତରୁ ଗଞ୍ଜାମ ଅଞ୍ଚଳରୁ ଏକାଧିକ ବ୍ୟକ୍ତିଙ୍କ ସହ ଆର୍ଥିକ କାରବାର ହୋଇଥିବା ଜଣାପଡିଛି। ଜେରା ପରେ ବ୍ୟାପକ ତଥ୍ୟ ମିଳିପାରିବ। ସେହିପରି ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ମଧ୍ୟ ପାଖାପାଖି ୧୮କୋଟି ଟଙ୍କା ଥିବା ଜଣାପଡିଛି। ଏହି ଟଙ୍କା କେଉଁ ସୁତ୍ରରୁ ଆସିଛି ଓ କେଉଁଠି ବିନିଯୋଗ ହୋଇଥାନ୍ତା, ସେ ନେଇ ମଧ୍ୟ ଛାନଭିନ କରାଯିବ। ଏଥିରେ କିଛି ଠକେଇ ଟଙ୍କା ଥିବା ମଧ୍ୟ ଜଣାପଡିଛି। ତେବେ ତଦନ୍ତ ପରେ ଆର୍ଥିକ କାରବାର ନେଇ ସ୍ପଷ୍ଟ ସୂଚନା ମିଳିପାରିବ। ଯଦି ମନି ଲଣ୍ଡରିଂର ପ୍ରମାଣ ମିଳେ, ତେବେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୁଲିସ ରିମାଣ୍ଡରେ ନେବ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟକୁ ଅବଗତ କରାଯାଇଛି। ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ପଚରାଉଚରା କରିବା ସହ ଦସ୍ତଖତ ମେଳ କରାଇବ। ଜାଲ କାଗଜପତ୍ର ଦେଇ ଟାଟା କମ୍ପାନୀ ନାଁରେ ଆକାଶ ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସିକୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ଖାରବେଳନଗର ଥାନାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ରିମାଣ୍ଡ ସମୟରେ ଆକାଶର ଦସ୍ତଖତ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଟାଟା କମ୍ପାନୀ ନାଁରେ ଅଫର ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳ କରାଯିବ। ସେହିପରି ଆକାଶ ଟାଟା କମ୍ପାନୀରେ ନିଯୁକ୍ତି କରିଥିଲେ କି ନାହିଁ। ଏସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ପୁଲିସ।
ଡିସିପି ଉମାଶଙ୍କର ଦାସ କହିଛନ୍ତି, ଆକାଶ ପାଠକ ନ୍ୟାୟିକ ହେପାଜତରେ ବର୍ତ୍ତମାନ ଅଛି। କୋର୍ଟର ରିମାଣ୍ଡ ସରିଲେ କମିଶନରେଟ ପୁଲିସ ଅକାଶ ପାଠକକୁ ହେପାଜତ ନେବା ପାଇଁ ଅପିଲ କରିବ। ତଦନ୍ତ ପରିସରକୁ ଯିଏ ଆସିବ ତାକୁ ଜେରା କରାଯିବ।

ଉଲ୍ଲେଖଥାଉ କି, ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଇଏଫଏଫ ଅଭୟକାନ୍ତ ପାଠକ ଓ ପୁଅ ଆକାଶକୁ ଗିରଫ କରିଛି। ଟାଟା କମ୍ପାନୀରେ ନିଯୁକ୍ତି ଦେବାକୁ କହି ଆକାଶ ଗୋପାଳପୁର ଅଂଚଳର ୬୮ ଜଣ ଯୁବକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠିକି ନେଇ କ୍ରାଇମବ୍ରାଂଚରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇଛନ୍ତି। ସମସ୍ତେ ଏବେ ଝାରପଡା ଜେଲର ବିଚାରବିଭାଗୀୟ ହାଜତରେ ଅଛନ୍ତି।