ଟିଆରଏସକୁ ଧକ୍କା, ବିଜେପିକୁ ଆଶାତୀତ ସଫଳତା

ହାଇଦ୍ରାବାଦ ପୌର ନିର୍ବାଚନ

ହାଇଦ୍ରାବାଦ,ଏଜେନ୍ସି: ହାଇଦ୍ରାବାଦ ପୌର ନିର୍ବାଚନର ମତଗଣନା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଚୂଡାନ୍ତ ଫଳାଫଳ ଅନୁଯାୟୀ କ୍ଷମତାସୀନ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ର ସମିତି) ଦଳକୁ ଶକ୍ତ ଧକ୍କା ପହଞ୍ଚିଥିବାବେଳେ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛି। ପୌର ନିଗମର ମୋଟ ୧୫୦ଟି ଆସନ ନିମନ୍ତେ ଗତ ମଙ୍ଗଳବାର ଭୋଟଗ୍ରହଣ କରାଯାଇଥିଲା। ସବିଶେଷ ଫଳାଫଳ ଅନୁଯାୟୀ ଟିଆରଏସକୁ ୫୬ଟି ଆସନ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ୪୯ଟି ଆସନରେ ବିଜୟୀ ହୋଇଛନ୍ତି।

ଅପରପକ୍ଷରେ ଏଆଇଏମଆଇଏମ ୪୩ଟି ଆସନରେ ବିଜୟୀ ହୋଇ ତୃତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବା କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ନିମନ୍ତେ ନିର୍ଦିଷ୍ଟ ଦଳକୁ ୭୬ଟି ଆସନ ହାସଲ କରିବାକୁ ପଡିବ। ଟିଆରଏସ ଗତ ପୌର ନିର୍ବାଚନରେ ୯୯ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ନିର୍ବାଚନରେ ବିଜେପିର ଏହି ସଫଳତାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ୍ ହାଇଦ୍ରାବାଦ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି।