ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ ଉଦ୍ୟମ ବେଳେ ୫୦ରୁ ଊର୍ଦ୍ଧ୍ୱ ଏବିଭିପି କର୍ମୀ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଏବିଭିପି କର୍ମୀ ବିକ୍ଷୋଭ କରିବା ସହ ଭୁବନେଶ୍ୱର ସ୍ଥିତ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରିବାକୁ ଉଦ୍ୟମ କରିଥିଲେ। ଏନେଇ କର୍ମୀମାନେ ରାଲିରେ ଆସୁଥିବାବେଳେ ପୁଲିସ ୫୦ରୁ ଊର୍ଦ୍ଧ୍ୱ କର୍ମୀଙ୍କୁ ଗିରଫ କରିଛି।

ପରୀ ହତ୍ୟା ଘଟଣାରେ ସାରା ଓଡ଼ିଶାରେ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଆଜି କମଳା ନେହେରୁ କଲେଜ ନିକଟରୁ ୧୦୦ରୁ ଊର୍ଦ୍ଧ୍ୱ ଏବିଭିପି କର୍ମୀ ଶ୍ରୀ ସାହୁଙ୍କ ବାସଭବନ ଘେରାଉ ପାଇଁ ଶୋଭାଯାତ୍ରା କରିଥିଲେ। କର୍ମୀମାନେ ଅରୁଣ ସାହୁଙ୍କ ଭବନ ଘେରାଉ କରିବାକୁ ଯିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ସେମାନେ ନମାନି ଶ୍ରୀ ସାହୁଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ। ଏନେଇ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧ୍ୱସ୍ତାଧ୍ୱସ୍ତି ହୋଇଥିଲା। ପରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ପରୀ ବାପା ମାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ହତ୍ୟାରେ ବାବୁଲି ନାଏକର ହାତ ରହିଛି। ତେବେ ବାବୁଲି ନାଏକ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ହୋଇଥିବାରୁ ଶ୍ରୀ ସାହୁ ତଦନ୍ତରେ ହେରଫେର କରିବେ। ସେନେଇ ତାଙ୍କ ଇସ୍ତଫା ଦାବି କରିଛି ଏବିଭିପି କର୍ମୀ। ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ସାହୁ କେସକୁ ରଫା ଦଫା କରିବା ପାଇଁ ସରପଞ୍ଚଙ୍କୁ ଧମକ ମଧ୍ୟ ଦେଇଥିଲେ। ବିଧାନସଭା ଶୀତ ଅଧିବେଶନ ବେଳେ ମଧ୍ୟ ପରୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗର୍ଜନ କରିଥିଲା।