ସୋନୁ ସୁଦଙ୍କୁ ମିଳିଲା ପଞ୍ଜାବର ‘ଆଇକନ’ ସମ୍ମାନ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ୟୁଏନରୁ ସମ୍ମାନିତ ହେବା ପରେ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ସମ୍ମାନ ଦେଇଛନ୍ତି। ନିର୍ବାଚନ ଆୟୋଗ ପଞ୍ଜାବର ‘ଆଇକନ’ ଭାବେ ସୋନୁଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ ବରୁଣା ରାଜୁ ଆନୁଷ୍ଠାନିକ ରୂପେ ଘୋଷଣା କରିଛନ୍ତି। ଏହି ସମ୍ମାନ ପରେ ସୋନୁ ନିର୍ବାଚନ ସମ୍ବନ୍ଧୀୟ ଜାଗରଣ ସୃଷ୍ଟି କରିବେ।

ସୂଚନାଯୋଗ୍ୟ, ସୋନୁ ପଞ୍ଜାବର ମୋଗା ଜିଲ୍ଲାର ମୂଳ ବାସିନ୍ଦା। ସୋନୁ ଅଭିନେତା ରୂପେ ହିନ୍ଦୀ, ପଞ୍ଜାବୀ ଓ ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିଛନ୍ତି। କିନ୍ତୁ କରୋନା ଯୋଗୁ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।