କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ଼ ଆଶା : ମୁଖ୍ୟମନ୍ତ୍ରୀ
କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷକ ଓଡିଶା ଓ ବିଭିନ୍ନ ଅନଲାଇନ ସେବାର ଶୁଭାରମ୍ଭ, ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ’ର ଅନ୍ତର୍ଭୁକ୍ତ
ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ, କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନଲାଇନ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଭଳି ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀମାନଙ୍କ Database ରଖାଯିବା ବହୁତ ଭଲ ଉଦ୍ୟମ। ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ। ଏହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

ସୂଚନାଯୋଗ୍ୟ, କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀ ମାନଙ୍କୁ ନେଇ କୃଷକ ଡାଟାବେସର ଶୁଭାରମ୍ଭ କରାଯାଇଛି। ଏହି ଡାଟାବେସର ଯାଞ୍ଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାଦ୍ୱାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତି ଶୀଘ୍ର ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଭାଇଭଉଣୀ ନିଜ କାମ ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନଲାଇନ ଜରିଆରେ ସେବା ପାଆନ୍ତୁ ବୋଲି ସେ ଚାହାନ୍ତି। ଆଜିର ୫-ଟି initiative ଏହାକୁ ସଫଳ କରିଛି ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ଆରମ୍ଭ ହେଉଥିବା କୃଷକ ଓଡିଶା, Input Dealer ମାନଙ୍କ ପାଇଁ ଅନଲାଇନ ଲାଇସେନ୍ସ, OUAT studentମାନଙ୍କୁ ଅନଲାଇନ ସାର୍ଟିଫିକେଟ,Agriculture Field Staff ମାନଙ୍କ ପାଇଁ ‘ଦକ୍ଷତା’ ଆଦି କାର୍ଯ୍ୟକ୍ରମ ବିଭାଗକୁ ଚାଷୀ ମାନଙ୍କ ସହିତ ସିଧା ଯୋଡିବାରେ ସହାୟକ ହେବ। ଭଲ କାମ କରୁଥିବା କୃଷି ବିଭାଗର କର୍ମଚାରୀ ମାନଙ୍କୁ ସ୍ୱୀକୃତି ଦେବା ପାଇଁ ହେଉଥିବା ଉଦ୍ୟମକୁ ସେ ପ୍ରଶଂସା କରି ଦକ୍ଷ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିଚାଲିବା ପାଇଁ ସେ ଆହ୍ୱାନ ଦେଇ କହିଥିଲେ ଯେ ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ। କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ଭାବରେ ଦେଖାଦେଇଛି। ଏବର୍ଷ ଆମେ bumper crop ଆଶା କରୁଛୁ । ଏଥିପାଇଁ ଆମର ଚାଷୀ ଭାଇଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।
