ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଦୁଇବର୍ଷ ଧରି କପଡାରେ ଅଛାଦିତ ହୋଇ ରହିଥିବା ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୁବବର୍ଗ ହିଁ ବିଶ୍ୱରେ ଭାରତର ବ୍ରାଣ୍ଡ୍ ଆମ୍ବାସଡର। ଯୁବବର୍ଗ ଆମର ସଂସ୍କୃତି ଓ ପରମ୍ପରାର ପ୍ରତିନିଧିତ୍ୱ କରୁଛନ୍ତି। ଭାରତର ପୂର୍ବ ଗୌରବ ପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ। ଜେଏନୟୁ ପରିସରରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଏକ ଗର୍ବର ବିଷୟ। ଏହି ପ୍ରତିମୂର୍ତ୍ତି ଦିବ୍ୟତ୍ୱ ଦୃଷ୍ଟିକୋଣର ବିକାଶ ଘଟାଇବ। ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସମସ୍ତଙ୍କୁ ଅନୁପ୍ରେରିତ କରୁବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସ୍ୱାମୀଜୀ ପ୍ରତ୍ୟେକ ଭାରତୀୟଙ୍କ ଠାରେ ଯାହା ଆଶା କରୁଥିଲେ ତାଙ୍କର ଏହି ପ୍ରତିମୂର୍ତ୍ତି ସେହି ଆଶା ପୂରଣରେ ସହାୟକ ହେବ। ମିଚିଗାନ୍ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଏକଦା କହିଥିଲେ, ଯଦିଓ ଏହି ଶତାବ୍ଦୀ ଆପଣମାନଙ୍କର କିନ୍ତୁ ଆଗାମୀ ଶତାବ୍ଦୀ ଭାରତର ହେବ। ସ୍ୱାମୀ ବିବେକାନନ୍ଦଙ୍କର ଏହି ସ୍ୱପ୍ନ ସାକାର କରିବାକୁ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭର ଭାରତ ସମ୍ପର୍କରେ ମୋଦୀ କହିଲେ, ଭାରତ ଏ ଦିଗରେ ଏବେ ଅଗ୍ରସର ହେଉଛି। ଏବେ ଗରିବ ଜନସାଧାରଣଙ୍କୁ କଂକ୍ରିଟ୍ ଘର, ପାଇଖାନା, ବିଶୁଦ୍ଧ ପାନୀୟଜଳ, ଶସ୍ତାରେ ବିଜୁଳିଶକ୍ତି ଓ ଇଣ୍ଟରନେଟ୍ ପ୍ରଭୃତି ମିଳୁଛି। ଦେଶରେ ନୂଆ ଶିକ୍ଷାନୀତି ସମ୍ପର୍କରେ ମୋଦୀ କହିଲେ, ଜାତୀୟ ଶିକ୍ଷାନୀତି ଦ୍ୱାରା ଗରିବ ଜନସାଧାରଣଙ୍କ ଶିକ୍ଷା ସୁନିଶ୍ଚିତ ହୋଇପାରିବ। ଏହି ଭର୍ଚୁଆଲ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଯୋଗ ଦେଇଥିଲେ।