ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟଗ୍ରହଣ ଆରମ୍ଭ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି। ର୍ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।

ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ୍ ଦିଆଯିବ। ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ଦେଇପାରିବେ । କେହି ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ଏହି ସମୟରେ ଭୋଟ୍ ଦେଇପାରିବେ। ବାଲେଶ୍ୱର ମ୍ୟୁନିସିପାଲଟିର ୩୧ଟି ୱାର୍ଡ ଓ ସଦରର ୨୬ ପଞ୍ଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବେ। ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ ବୁଥ୍ ରହିଛି । ଉଭୟ ଆସନ ପାଇଁ ମୋଟ୍ ୯୦ ପ୍ଲାଟୁନ୍ ଫୋର୍ସ, ୬ କମ୍ପାନି ସିଏପିଏଫ ଓ ୨୫୦ ପୁଲିସ୍ ଅଫିସର ନିଯୁକ୍ତି କରାଯାଇଛି । ଏହାବାଦ ବୁଥ୍ ଗୁଡ଼ିକରେ ସିସିଟିଭି ଓ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।