ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ାଯିବା ସହିତ ଚିକିତ୍ସା ପ୍ରକ୍ରିୟାରେ ସୁଧାର ଆସିଛି। ବିଶେଷ କରି ପ୍ଲାଜମା ଚିକିତ୍ସାରେ ଅଧିକ ଶୀଘ୍ର ରୋଗୀ ସୁସ୍ଥ ହେଉଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରାଜ୍ୟରେ ପ୍ଲାଜମା କେନ୍ଦ୍ର ଖୋଲାଯିବା ସହିତ କରୋନାରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କୁ ପ୍ଲାଜମା ଦାନ ପାଇଁ ନିବେଦନ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ବିଶେଷ ସହଯୋଗ ମିଳିଛି।
ଆଜି ସୁଦ୍ଧା ରାଜ୍ୟରେ ପୁଲିସ କୋଭିଡ ଯୋଦ୍ଧା କରୋନାରୁ ସୁସ୍ଥ ହେବା ସହ ପ୍ଲାଜମା ମଧ୍ୟ ଦାନ କରିଛନ୍ତି। ଫଳରେ ପୁଲିସ ପ୍ଲାଜମା ଦାନ ସଂଖ୍ୟା ୬୦୦ରେ ପହଞ୍ଚିଛି। ଏହି ପ୍ଲାଜମା ସଂଗ୍ରହ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଛି। ବିଶେଷ କରି କଟକର ଏସସିବି ମେଡ଼ିକାଲ କଲେଜ, ରାଉରକେଲାର ଆଇଜିଏଚ୍, ବୁର୍ଲାର ଭିମସାର, ବରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କୋରାପୁଟର ସହିଦ ଲକ୍ଷ୍ମଣନାଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲରୁ ପ୍ଲାଜମା ସଂଗ୍ରହ ହୋଇଥିବା ଜଣାପଡ଼ିଛି।