ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’

ବିଶାଖାପଟନମ୍,ଏଜେନ୍ସି: ଗୁରୁବାର ଦିନ ବିଶାଖାପଟନମ୍‌ସ୍ଥିତ ନାଭାଲ୍‌ ଡକ‌ୟାର୍ଡରେ ବୁଡ଼ାଜାହାଜ ଚିହ୍ନଟକାରୀ କ୍ଷୁଦ୍ର ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱଣେ ଏହାର କମିଶନ କରିଥିଲେ।

ଏହି ଜାହାଜରେ ଅନ୍ୟ ବୁଡ଼ାଜାହାଜକୁ ଠାବ କରିବାର ସେନସର ରହିଥିବା ବେଳେ ସେମାନଙ୍କ ମୁକାବିଲା କରିବାରେ ନିମନ୍ତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହି କ୍ଷୁଦ୍ର ଯୁଦ୍ଧପୋତର ଆତ୍ମରକ୍ଷା ସାମର୍ଥ୍ୟ ମଧ୍ୟ ରହିଛି। ଭାରତୀୟ ନୌସେନାର ନିଜସ୍ବ ସଂସ୍ଥା ‘ଡାଇରେ‌କ୍ଟୋରେଟ୍‌ ଅଫ୍ ନେଭାଲ୍‌ ଡିଜାଇନ୍’ ଦ୍ବାରା ‘କବରତ୍ତୀ’କୁ ପ୍ରସ୍ତୁତ କରାଯାଇଛି। କୋଲ‌କାତାର ‘ଗାର୍ଡେନ୍‌ ରିଚ୍ ସିପ‌ବିଲଡର୍ସ ଆଣ୍ଡ୍‌ ଇଞ୍ଜିନିୟର୍ସ ଏହାକୁ ନିର୍ମାଣ କରିଛନ୍ତି ବୋଲି ଭାରତୀୟ ନୌସେନା କହିଛି।

ଏହି ଜାହାଜରେ ବ୍ୟବହୃତ ହୋଇଥିବା ୯୦ ପ୍ରତିଶତ ସାମଗ୍ରୀ ସ୍ବଦେଶୀ ବୋଲି ସୂଚନା ଦିଆଯାଇଛି। ନୂଆ ‘କବରତ୍ତୀ’ ବିଗତ ଦିନର ‘ଆର୍ନାଲା କ୍ଲାସ୍ ମିସାଇଲ୍‌ କୋଭେଟ୍‌’ ‘ଆଇଏନ୍‌ଏସ୍‌ କବରତ୍ତୀ’ର ନାଁ ଧାରଣ କରିଛି। ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମରେ ପୁରୁଣା ‘କବରତ୍ତୀ’ ବିଶେଷ ସହାୟକ ହୋଇଥିଲା।