ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍

ରାଉରକେଲା, ଏନ୍ଏନ୍ଏସ୍: ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍। ରାଉରକେଲା ଏନଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ଏହି ପୁରସ୍କାରର ସମ୍ପର୍କ ରହିଛି। ପ୍ରକାଶ ଯେ, ଚଳିତବର୍ଷ ୱାର୍ଲଡ ଫୁଡ୍ ପ୍ରୋଗାମକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର। ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ୍ ଏବଂ ଡବ୍ଲୁ ଏଫପି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି।

ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ। ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ ଏବଂ ଡବ୍ଲୁ ଏଫପିର ଏହି କାର୍ଯ୍ୟକ୍ରମ ଅନେକ ମାତ୍ରାରେ ସଫଳ ହୋଇଛି। ଇଣ୍ଡୋନେସିଆ ଓ ମେକ୍ସିକୋ ସହ ବିଶ୍ୱର ୫ଟି ଦେଶରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେଇ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଭୋକିଲାଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁଛି। ଏହି ବୈଷୟିକ ଜ୍ଞାନକୌଶଳକୁ ଭାରତରେ ବାତ୍ୟା ଓ ଭୂକମ୍ପ ସମୟରେ ମଧ୍ୟ ଉପଯୋଗ କରାଯାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏ ନେଇ ପ୍ରଣବ କହିଛନ୍ତି, ମାନବଜାତିର ସେବା ପାଇଁ ଡବ୍ଲୁ ଏଫପ ମୋତେ ସୁଯୋଗ ଦେଇଥିବାର ମୁଁ ବହୁତ ଖୁସି ଅନୁଭୂତ କରୁଛି। ଏଥିପାଇଁ ମୁଁ ମୋ ମାତାପିତା, ସମ୍ପର୍କୀୟ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।