ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍(ଡିଡିସିଏ) ଅଧ୍ୟକ୍ଷ ଭାବେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପୁଅ ରୋହନ ଜେଟଲୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ୩୧ ବର୍ଷୀୟ ରୋହନ ଏହି ପଦରେ ୨୦୨୧ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଟ୍ରେସର୍ ଓ ନିର୍ଦ୍ଦେଶକ ପଦ ପାଇଁ ନଭେମ୍ବର ୫, ୬ ଓ ୮ତାରିଖରେ ନିର୍ବାଚନ ହେବ। ନଭେମ୍ବର ୯ରେ ଫଳାଫଳ ଘୋଷଣା ହେବ।
ପେସାରେ ଓକିଲ ଥିବା ରୋହନ ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ଶେଷ ତାରିଖରେ ନାମାଙ୍କନ ଦାଖଲ କରିଥିଲେ। ତେବେ ଅଧ୍ୟକ୍ଷ ପଦ ପାଇଁ ସୁନିଲ କୁମାର ଗୋୟଲ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ପରେ ସୁନିଲ ଓହରିଯିବାରୁ ରୋହନ ଡିଡିସିଏର ଅଧ୍ୟକ୍ଷ ପଦକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ରୋହନଙ୍କ ବାପା ତଥା ସ୍ୱର୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧୯୯୯ ଓ ୨୦୧୩ ମଧ୍ୟରେ ଡିଡିସିଏର ଅଧ୍ୟକ୍ଷ ପଦରେ ରହିସାରିଛନ୍ତି।