ସଂକ୍ରାମକ ରୋଗ(ସଂଶୋଧନ) ବିଧେୟକ ପାରିତ: କୋଭିଡ ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜୋରିମାନା, ୨ ବର୍ଷ ଜେଲ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍: ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ବିଧାନସଭାରେ ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଲ୍ ୨୦୨୦ ପାରିତ ହୋଇଯାଇଛି । ଏହି ବିଲର ପ୍ରାବଧାନ ଅନୁଯାୟୀ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି ।

ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଲ୍ ୨୦୨ ଆଗତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ କରୋନା ରୋଗରୁ ମହାମାରୀ ପାଲଟିବା ପରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ କିଛି କଠିନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଧୀରେଧୀରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏପଟେ କିଛି ଲୋକେ ସାମାଜିକ ଦୂରତା ଏବଂ କଟକଣାକୁ ମାନୁନାହାନ୍ତି । ଯାହାଫଳରେ ଏହା ଗୋଷ୍ଠୀ ସଂକ୍ରମଣ କରିପାରେ । ତେଣୁ ନିୟମକୁ କଡ଼ାକଡ଼ି ଏବଂ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ବେଳେ ୨ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରାଯାଇଛି ।

ତେବେ ବିଲ୍ ଆଲୋଚନାରେ ଭାଗ ନେଇ ବିରୋଧୀ ଏହାର ପ୍ରବଳ ବିରୋଧ କରିଥିଲେ । ପୂର୍ବରୁ ଥିବା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଥିଲେ ନୂଆ ଆଇନର ଆଦୌ ଆବଶ୍ୟକତା ପଡ଼ିନଥାନ୍ତା । କେବଳ ବିରୋଧୀ ଦଳକୁ ଆୟତ୍ତକୁ ଆଣିବା ଏବଂ ମହାମାରୀ ଆଇନ ଉଲ୍ଲଂଘନରେ ସେମାନଙ୍କୁ ଜେଲ୍ ଦଣ୍ଡ ଶୁଣାଇବା ସରକାରଙ୍କ ଭିତିର ଉଦ୍ଦେଶ୍ୟ ବୋଲି ବିରୋଧୀ ସଭ୍ୟ ଅଭିଯୋଗ କରିଥିଲେ ।