ଏକାଧିକ ପ୍ୟାନ କାର୍ଡ ରଖିଲେ କାର୍ଯ୍ୟାନୁଷ୍ଠାନ: ଆୟକର ବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: ଆଗାମୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆଧାର ନମ୍ବର ସହିତ ପ୍ୟାନ ସଂଯୋଗ ନକରାଇଲେ ପ୍ରାୟ ୧୮୦ ନିୟୁତରୁ ଅଧିକ ସ୍ଥାୟୀ ପ୍ୟାନ ଆକାଉଣ୍ଟ୍ ଅକାମୀ ହୋଇଯାଇପାରେ ବୋଲି ଆୟକର (ଆଇଟି) ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଛଡ଼ା ଏକାଧିକ ପ୍ୟାନ କାର୍ଡ ରଖିଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଉପୁଜିପାରେ। ଏକାଧିକ ପ୍ୟାନ କାର୍ଡ ରଖିଥିବା ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଅଲଗା ଅଲଗା ପ୍ୟାନ କାର୍ଡ ବ୍ୟବହାର କରି ବଡ ଧରଣର ନେଣଦେଣ କରି ଟିକସ ଫାଙ୍କୁଥିବା ଠକମାନଙ୍କୁ ଟାର୍ଗେଟ୍ କରିଛି ଆୟକର ବିଭାଗ। ଜୁନ ମାସ ସୁଦ୍ଧା ଦେଶରେ ୫୦.୯୫ କୋଟି ପ୍ୟାନ କାର୍ଡଧାରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୬.୪୮ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ।