ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ବର୍ତ୍ତମାନ ସୁଦ୍ଧା ଉପକୂଳ ଓଡ଼ିଶା ସମେତ କେତେକ ଅଞ୍ଚଳରେ ମୌସୁମୀ ବର୍ଷା କମ ରହିଛି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବି ଉପକୂଳରେ ମୌସୁମୀ ଜନିତ ବର୍ଷା କମ ରହିବ। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିଥିବାରୁ ଏହି ସ୍ଥିତି ଲାଗି ରହିଛି। ତେବେ ଅଗଷ୍ଟ ୧ରୁ ବଙ୍ଗୋପସାଗର କ୍ରମଶଃ ସକ୍ରିୟ ହେବା ଦ୍ୱାରା ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇ ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଅଗଷ୍ଟ ୧ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁବ। ଫଳରେ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ଜୁଲାଇ ୩୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ବର୍ଷା ହେବ। ମାତ୍ର ଏହି ସମୟରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ପ୍ରାୟ ୫୦ ପ୍ରତିଶତ କମ୍ ରହିବାର ଆଶଙ୍କା ରହିଛି।
ଜୁଲାଇ ୨୮ରୁ ୨ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଅଗଷ୍ଟ ୨ ତାରିଖରେ ଛତିଶଗଡ଼ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଫଳରେ ଅଗଷ୍ଟ ୨ରୁ ୪ ପର୍ଯ୍ୟନ୍ତ ବଲାଙ୍ଗିର ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୫ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୬ ତାରିଖରେ ଲଘୁଚାପରେ ପରିଣତ ହୋଇପାରେ। ଫଳରେ ରାଜ୍ୟରେ ୬ ତାରିଖରୁ ଦୁଇ ତିନି ଦିନ ଧରି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ସେହିପରି ବର୍ତ୍ତମାନ ବର୍ଷା ଛାଡ଼ିଯିବା ସହିତ ନିର୍ମଳ ଆକାଶ ଯୋଗୁଁ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ବୃଦ୍ଧି ପାଇଛି।