‘କରୋନା ଟିକା ପ୍ରସ୍ତୁତରେ ଚୀନକୁ ସହଯୋଗ କରିବାକୁ ପଛାଇବ ନାହିଁ ଆମେରିକା’

ୱାଶିଂଟନ୍,ଏଜେନ୍ସି: ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମହାମାରୀ କରୋନା ପାଇଁ ଟିକା ପ୍ରସ୍ତୁତ କାର୍ଯ୍ୟରେ ଆମେରିକା ଚୀନକୁ ସହଯୋଗ କରିବାକୁ କୁଣ୍ଠାବୋଧ କରିବ ନାହିଁ। କେବଳ ଚୀନ ନୁହେଁ ଅନ୍ୟ ଯେ କୌଣସି ରାଷ୍ଟ୍ର ସହ ଆମେରିକା ଏ କ୍ଷେତ୍ରରେ ସହଯୋଗ କରିବାକୁ ଆଗେଇ ଆସିବ। ଆମେରିକୀୟମାନଙ୍କ ପାଇଁ କରୋନା ଭାଇରସ ଟିକା କ୍ଷେତ୍ରରେ ଚୀନକୁ ପ୍ରଶାସନ ସହଯୋଗ କରିବ କି, ବୋଲି ପଚରାଯିବାରୁ ଟ୍ରମ୍ପ କହିଲେ, ପ୍ରଥମେ ଟିକା ଚୀନ ପ୍ରସ୍ତୁତ କରୁ କି, ଅନ୍ୟ କେହି କରନ୍ତୁ ଆମ ପାଇଁ ହିତକାରୀ ହେଲେ ଯେ କୌଣସି ଦେଶ ସହ କାମ କରିବାକୁ ଆମେ ପ୍ରସ୍ତୁତ ଅଛୁ। ଚୀନର କ୍ୟାନସିନୋ ବାୟୋଲୋଜିକ୍ସ ଇନକର୍ପୋରେସନ ଏବଂ ଚୀନର ସାମରିକ ଗବେଷଣା ୟୁନିଟ ପ୍ରସ୍ତୁତ କରିଥିବା କରୋନା ନିରୋଧୀ ଟିକା ନିରାପଦ ଏବଂ ଶରୀରରେ ରୋଗ ମୁକାବିଲା କ୍ଷମତା ବୃଦ୍ଧି କରୁଛି ବୋଲି ଗବେଷକମାନେ କହିବାର ଦିନକ ପରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି।