ନୂଆଦିଲ୍ଲୀ,ଏଜେନ୍ସି: ଗତ ମାର୍ଚ୍ଚ ୨୬ରେ ରାଜ୍ୟସଭାକୁ ନବନିର୍ବାଚିତ ହୋଇଥିବା ଓଡ଼ିଶାର ୪ ଜଣ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଏବଂ ସୁଜିତ କୁମାର ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟର ୬୧ ଜଣ ସାଂସଦ ଶପଥ ନେଇଛନ୍ତି।
ସୂଚନା ଅନୁଯାୟୀ କରୋନା କଟକଣା ଯୋଗୁଁ ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦ ଶପଥ ନେଇପାରିନଥିଲେ। ଆଜି ସେମାନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ ରାଜ୍ୟସଭା ହାଉସ ଅଫ ଚାମ୍ବରରେ ଶପଥପାଠ କରାଇଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ଗଣମାଧ୍ୟମକୁ ସଂସଦ ଭିତରକୁ ପ୍ରବେଶ ଦିଆଯାଇନାହିିଁ। ଏଥିସହ ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି। ସେହିପରି ଏହି ଅଧିବେଶନରେ ଅନେକ ସାଂସଦ ଯୋଗ ଦେଇପାରିନାହାନ୍ତି। ତେଣୁ ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ ବୋଲି ବାଚସ୍ପତି କହିଛନ୍ତି।