ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି। କରୋନା ଟିକା ଉପରେ ଗବେଷଣା କରୁଥିବା କମ୍ପାନୀ ଆସନ୍ତା ଡ଼ିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ଅନ୍ୟୂନ ୩୦୦ ରୁ ୪୦୦ ନିୟୁତ କରୋନା ଟିକା ପ୍ରସ୍ତୁତ ହୋଇଥିବ ବୋଲି ମଧ୍ୟ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି।
ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ଼-୧୯ ଟିକାର ପ୍ରୟୋଗରେ ସଫଳତା ମିଳିଛି। ତେବେ ଏକ ସପ୍ତାହ ମଧ୍ୟରେ ଭାରତ ସରକାରଙ୍କଠାରୁ ଲାଇସେନ୍ସ ନିମନ୍ତେ ଆବେଦନ କରାଯିବ। ଅନୁମତି ମିଳିବା କ୍ଷଣି ଟିକା ପରୀକ୍ଷଣ ଆରମ୍ଭ କରାଯାଇପାରିବ ଓ ବହୁ ପରିମାଣର ଟିକା ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଡ଼ିସେମ୍ବର ସୁଦ୍ଧା ତାଙ୍କ କମ୍ପାନୀ ଅନ୍ୟୂନ ୩୦୦ ନିୟୁତ କରୋନା ଟିକା ପ୍ରସ୍ତୁତ କରିପାରିବ।
ଏହି ଅବସରରେ କରୋନା ଟିକାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି ଶ୍ରୀ ପୁନାୱାଲା ଆକଳନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରଥମରୁ ବର୍ଷକ ମଧ୍ୟରେ କରୋନା ଟିକା ଉଦ୍ଭାବନ କରିବ ବୋଲି ଦାବି କରିଥିଲା। କରୋନା ଟିକା ଉପରେ କାର୍ଯ୍ୟ ଆରମ୍ଭ ସହ ଅଗଷ୍ଟ ୨୦୨୦ରେ ଏହାର ମାନବ ପରୀକ୍ଷଣ କରିପାରିବ ବୋଲି ସୂଚନା ଦେଇଥିଲା।