କରୋନା ସଙ୍କଟ: ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଶରେ କୌଣସି ପର୍ବ ପର୍ବାଣୀ ହୋଇପାରୁ ନାହିିଁ। ଏଥିରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ର ପ୍ରଭାବିତ ହେବା ସହ ସେଠାକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ଉପରେ କଟକଣା ଲଗିଛି। ଏହି ଭିତରେ ପୁଣି ଭକ୍ତଙ୍କ ପାଇଁ ଏକ ଦୁଃଖ ଖବର ଆସିଛି। କରୋନା ପାଇଁ ଏବର୍ଷର ପ୍ରସିଦ୍ଧ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ଏନେଇ ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି। ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ଅମରନାଥ ଯାତ୍ରା ଜୁନ୍ ୨୩ ରୁ ଆରମ୍ଭ ହୋଇଥାନ୍ତା। ମାତ୍ର ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଜୁଲାଇ ୨୧ ରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନଥିବାରୁ ଏହି ଯାତ୍ରାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।

ସେହିପରି ଏହାପୂର୍ବରୁ ଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା କି ବାର୍ଷିକ ୧୦ ଲକ୍ଷରୁ ଅଧିକ ଭକ୍ତ ଅମରନାଥ ଯାତ୍ରାରେ ଯୋଗଦେଇଥାନ୍ତି। ତେବେ ଏତେ ସଂଖ୍ୟକ ଲୋକଙ୍କ ଏକା ସାଙ୍ଗରେ ଆଗମନ କରୋନା ସଂକ୍ରମଣର ଏକ ପ୍ରମୁଖ ଉତ୍ସ ହୋଇପାରେ।