ହକ୍ ନମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓବିସି ବର୍ଗକୁ ନିଜର ହକ୍ ନ ମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର ବୋଲି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ଆୟୋଜିତ ଭର୍ଚୁଆଲ ଜନ ସମ୍ବାଦ ରାଲିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଓବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ। ଏହି ବର୍ଗର ଲୋକମାନେ ଯଦି ନିଜ ନିଜର କୌଳିକ ବୃତ୍ତିକୁ ଆଧୁନିକ କରିବେ ତେବେ ଭାରତ ଆତ୍ମନିର୍ଭର ହୋଇପାରିବ। ତେଣୁ ସମାଜ ଆଧାରରେ ସଂଗଠନ କରି ଏହି ରାଷ୍ଟ୍ରୀୟ ଭାବନାରେ ଓବିସି ବର୍ଗକୁ ଯୋଡ଼ିବା ଆମର ଦାୟିତ୍ୱ ବୋଲି କହିଛନ୍ତି।

ଓବିସି ମୋର୍ଚ୍ଚାର ସଦସ୍ୟମାନେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଦରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଗରିବ କଲ୍ୟାଣ ଯୋଜନାକୁ ସମାଜ ଆଗରେ ଉପସ୍ଥାପନ କରିବା ଦରକାର। ଜନ ଆନ୍ଦୋଳନ ମାଧ୍ୟମରେ ରାଜ୍ୟରେ ଥିବା ଓବିସି ବର୍ଗର ସମସ୍ୟାକୁ ମଧ୍ୟ ଉଠାଇବା ଦରକାର। ମୌଳିକ ଦାବିକୁ ପୂରଣ ନକରିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢ଼େଇ କରିବା ଦରକାର ଓ ବ୍ୟାପକ ଜନ ଆନ୍ଦୋଳନର ଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।