ସରକାରୀ ଜମି ସୁରକ୍ଷା ପାଇଁ ସ୍ପେସ୍ ଟେକ୍ନୋଲଜି: ଗୃହ, ଜିଏ ବିଭାଗ ପାଇଁ ୮ ବୈଷୟିକ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର,୮ା୭/ଏନ୍ଏନ୍ଏସ୍: ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣେଇବାକୁ ଯାଉଛନ୍ତି। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସରକାରୀ ଜମି ପାଇଁ ବ୍ୟବହାର ହେବ ସ୍ପେସ୍ ଟେକ୍ନୋଲୋଜି (ମହାକାଶ ପ୍ରଯୁକ୍ତିବିଦ୍ୟା)। ରାଜଧାନୀ ଭୁବନେଶ୍ୱରରେ ଥିବା ମୂଲ୍ୟବାନ୍ ସରକାରୀ ଜମିକୁ ସୁରକ୍ଷିତ ରଖିବା ଏବଂ ଯୋଜନାବଦ୍ଧ ବିକାଶ ସୁନିଶ୍ଚିତ କରିବା ପାଇଁ ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେବ। ସରକାରୀ ସମ୍ପତ୍ତିର ସାମଗ୍ରିକ ପରିଚାଳନା ଓ ଉତ୍ତରଦାୟିତ୍ୱ ବଢ଼ାଇବା ଦିଗରେ ଏହା ବେଶ୍ ସହାୟକ ହେବା ସହ ନାଗରିକମାନେ ସହଜରେ ସରକାରୀ ସମ୍ବଳ ପ୍ରାପ୍ତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।
ସେହିପରି ଜନସେବା ପ୍ରଦାନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ ୫-ଟି ପଦକ୍ଷେପ ଅନ୍ତର୍ଗତ ୮ଟି ବୈଷୟିକ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ସରକାରୀ ଜମିର ସୁରକ୍ଷା ପାଇଁ ସ୍ପେସ୍ ଟେକ୍ନୋଲୋଜି ପ୍ରୟୋଗ ଅନ୍ୟତମ।

ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍ତି, ଲୋକଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ସେବା ଅନଲାଇନରେ   ପ୍ରଦାନ କରିବା ଓ ଏହି କାରଣରୁ କୌଣସି ନାଗରିକକୁ ଯେପରି ସରକାରୀ କାର୍ଯ୍ୟାଳୟ ଯିବାର ଆବଶ୍ୟକତା ରହିବନି ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏଥିପାଇଁ ଆଗରୁ ଅଗଷ୍ଟ ୧୫ ତାରିଖକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ହେଲେ କୋଭିଡ୍ କାରଣରୁ ଏହା ବିଳମ୍ବିତ ହୋଇଛି। ତେଣୁ ଏହି ସମୟସୀମାକୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବଢ଼ାଇ ଦେଇଛନ୍ତି। ଏହା ପରଠୁ ସମସ୍ତ ସେବା ଯେପରି ଅନଲାଇନରେ ପ୍ରଦାନ କରାଯିବ, ତାହା ସୁନିଶ୍ଚିତ କରିବାକୁ ସବୁ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଶାସନର ୫-ଟି ମଡେଲ୍ ସହ ‘ମୋ ସରକାର’ କାର୍ଯ୍ୟକ୍ରମ ଶାସନରେ ଗୁଣବତ୍ତା କ୍ଷେତ୍ରରେ ଢେର୍ ଉନ୍ନତି ଆଣିଛି। ଜନସେବା ପ୍ରଦାନକୁ ସହଜ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଶୁଭାରମ୍ଭ ହୋଇଥିବା ୮ଟି ବୈଷୟିକ ସମାଧାନଗୁଡ଼ିକ ହେଲା,

ଭୁବନେଶ୍ୱର ଜମିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା (ବ୍ଲୁଇସ୍)

ପରିଦର୍ଶକ ପାସ୍ ପରିଚାଳନା ପାଇଁ ଇ-ପ୍ରବେଶ

ଓଡ଼ିଶା ଭବନ ପରିଚାଳନା ପାଇଁ ଇ-ଭବନ

ରାଜ୍ୟ ଅତିଥି ଭବନ ପରିଚାଳନା ପାଇଁ ଇ-ଅତିଥି

ମାନବ ସମ୍ବଳ ପରିଚାଳନା ପାଇଁ ୱେବ୍ ଓ ମୋବାଇଲ୍ ଆପ୍ଲିକେସନ୍

ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାର ମୋବାଇଲ୍ ଆପ୍

ମୋକଦ୍ଦମା ପରିଚାଳନା ପାଇଁ ଅନ୍ଲାଇନ୍ ଆପ୍ଲିକେସନ୍

ଚିହ୍ନିତ ଜନସେବା ପ୍ରଦାନ ପରିଚାଳନା ପାଇଁ ଅନ୍ଲାଇନ୍ ମଡ୍ୟୁଲ୍

ସୂଚନାଥାଉକି, ଅଗଷ୍ଟ ୨୦୧୯ରେ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମଗ୍ର ଦେଶର ଶାସନ କ୍ଷେତ୍ରରେ ଆମର ୫-ଟି କାର୍ଯ୍ୟକ୍ରମ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟ ଭାବେ ପରିଗଣିତ କରିଛି। ଅନଲାଇନରେ ୧୦୫ ପ୍ରକାର ସେବା ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୃହ ଏବଂ ଜିଏ ବିଭାଗର ପଦକ୍ଷେପକୁ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ପ୍ରଶଂସା କରିଛନ୍ତି। ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବାବେଳେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ୍, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।