କଂଗ୍ରେସର ଦାବି: ଆଇନ ମନ୍ତ୍ରୀ ଓ ଏଜିଙ୍କୁ ହଟାଅ

ଗଜପତି ମହାରାଜାଙ୍କ ବୟାନକୁ ନେଇ ଅଡ଼ୁଆରେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଏକ ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲରେ ଦିଆଯାଇଥିବା ବୟାନକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର ରଚିବା ସହ ଅଦାଲତ ଆଢ଼ୁଆଳରେ ଏକ ନିର୍ଦ୍ଧିଷ୍ଟ ଏନ୍ଜିଓ ସହ ଫିକ୍ସିଂ କରିଥିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଶନିବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଉପରୋକ୍ତ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀ ଏବଂ ଆଢଭୋକେଟ ଜେନେରାଲଙ୍କ ଭୂମିକା ସନ୍ଦେହ ଘେରରେ ଥିବାରୁ ସେମାନଙ୍କୁ ତାଙ୍କ ପଦରୁ ତୁରନ୍ତ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି କି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହିନଥିଲେ। ରାଜ୍ୟ ସରକାର ଉଚ୍ଚନ୍ୟାୟଳରେ ପିଟିସନକାରୀ ଏନ୍ଜିଓଙ୍କ ଓକିଲଙ୍କ କଥା କହିଥିଲେ। ଯାହାକି ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି। କୋଟି କୋଟି ଓଡ଼ିଆଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିବାକୁ ଚେଷ୍ଟା କରିଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଏପରିକି ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ତିନି ତିନିଟି ଚିଠିର ଉତ୍ତର ରାଜ୍ୟ ସରକାର ଦେଇନାହାନ୍ତି। ତେବେ ସମଗ୍ର ଘଟଣାରେ ରାଜ୍ୟ ସରକାରଙ୍କ ଆଡଭାକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସର୍ବାଧିକ ସନ୍ଦେହ ଘେରରେ ରହିଥିବା କଂଗ୍ରେସ ଅଭିଯୋଗ କରିଛି।

ଆଡଭାକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା। ତେଣୁ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡ଼ିଶା ସରକାରଙ୍କ ଓକିଲ ହରିଷ ସାଲ୍ଭେ ଯେଭଳି ଭାବେ ହଁ ରେ ହଁ ମାରିଲେ ,ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ। ଆଡ୍ଭୋକେଟ ଜେନେରାଲ କାହା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାଇତ୍ୱ ଛାଡ଼ିବା ପରେ ରାଜ୍ୟ ସରକାରଙ୍କୁ କିଏ ଚୁପ ବସିପଡ଼ିବା ପାଇଁ ପରାମର୍ଶ ଦେଇଥିଲେ ତାହାର ଉତ୍ତର କଂଗ୍ରେସ ଚାହୁଁଛି। କଂଗ୍ରେସ ପ୍ରଥମରୁ ରଥଯାତ୍ରା ହେଉ ବୋଲି ଚାହୁଁଥିବା ବେଳେ ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ତେଣୁ ସମଗ୍ର ଘଟଣାରେ ସନ୍ଦେହ ଘେରରେ ଥିବା ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରିବା ସହ ଆଇନମନ୍ତ୍ରୀଙ୍କୁ ତାଙ୍କ ପଦବୀରୁ ହଟାନ୍ତୁ ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଦାବି କରିଛନ୍ତି।