ବ୍ରହ୍ମପୁରରେ ପୁଣି ୩ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ !

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରେ କରୋନାର ଭୟାବହତା ଜାରି ରହିଛି। ରାଜ୍ୟରେ ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନା ପଜିଟିଭରେ ପ୍ରଥମ ରହିଛି। ସେହି ତୁଳନାରେ କରୋନାରେ ଆକ୍ରାନ୍ତମାନେ ଚିକିତ୍ସିତ ହୋଇ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢୁଛି। ସାଧାରଣ ଲୋକଙ୍କ ଅମାନିଆ କାର୍ଯ୍ୟ ଯୋଗୁଁ ଜିଲ୍ଲାରେ ପଜିଟିଭ ସଂଖ୍ୟା ପ୍ରତିଦିନ ବଢୁଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଲକଡାଉନ୍ ଏବଂ ସଟଡାଉନ୍ ଜାରି ରଖିଥିଲେ ମଧ୍ୟ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ଦେଖାଯାଉ ନାହିଁ। ମୁଖ୍ୟତଃ ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତରଙ୍କୁ ବର୍ତ୍ତମାନ କରୋନା ହେବା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରର ଉଭୟ ମେଡିକାଲର ପ୍ରାୟ ୬ଜଣ ଡାକ୍ତରଙ୍କୁ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି।  ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଜି ପୁଣି ୩ ଜଣ ଡାକ୍ତର ପଜିଟିଭ୍ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଏଥିରେ ବଡମେଡିକାଲର ୨ ଜଣ ହାଉସ୍ ସର୍ଜନ ଏବଂ ସ୍ଥାନୀୟ ସିଟି ହସପିଟାଲର ଜଣେ ଡାକ୍ତର ଅଛନ୍ତି ବୋଲି ଜଣାପଡ଼ିଛିି। ଏହି ୩ ଜଣ ଡାକ୍ତରଙ୍କ କୌଣସି ପ୍ରକାର କରୋନା ଲକ୍ଷଣ ନଥିବା ଜଣାପଡ଼ିଛି। କିନ୍ତୁ ଆଜି ଏହି ଡାକ୍ତରଙ୍କ ପଜିଟିଭ୍ ରିପୋର୍ଟ ଆସିଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସିଟି ହସପିଟାଲରେ ପୂର୍ବରୁ କରୋନା ପଜିଟିଭ୍ ହୋଇଥିବା ଜଣେ ମହିଳା ଡାକ୍ତର କୋଭିଡ୍ ହସପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ବଡମେଡିକାଲର ୫ ଜଣ ଡାକ୍ତରଙ୍କ ସ୍ଥାନୀୟ ମେଡିକାଲ ପରିସରରେ ଥିବା ଗେଷ୍ଟ ହାଉସରେ ଚିକିତ୍ସା ଜାରି ରହିଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି।

ଆଜି ପୁଣି ୩ ଜଣ ଡାକ୍ତର ସହରରେ ପଜିଟିଭ୍ ହୋଇଥିବା ଖବର ଆସିବା ପରେ ଡାକ୍ତର ମହଲରେ ଉଦବେଗ ପ୍ରକାଶ ପାଇଛି। ଏହି ଡାକ୍ତରମାନେ କୋଭିଡ୍ ହସପିଟାଲ୍ରୁ ସଂକ୍ରମିତ ହୋଇଛନ୍ତି ନା’ ଏମାନେ ବଡମେଡିକାଲରୁ ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।