ଦେଶ ପାଇଁ ଶହୀଦ ହୋଇଛନ୍ତି ମୟୂରଭଞ୍ଜ ମାଟିର ବୀର ଯବାନ ନନ୍ଦୁରାମ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ବଡ଼ଚମ୍ପାଉଦା ଗ୍ରାମ ରାଜ୍ୟ By Nitidin On Jun 17, 2020 Share ବାରିପଦା,ଏନ୍ଏନ୍ଏସ୍ : ଲଦାଖର ଗଲୱାନା ଘାଟିରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଗତ ସୋମବାର ବିଳମ୍ବିତ ରାତିରେ ଉଭୟ ରାଷ୍ଟ୍ରର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ୧୬ ବିହାର ରେଜିମେଣ୍ଟର ସୈନ୍ୟମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ(୪୨) ରହିଛନ୍ତି। ନନ୍ଦୁରାମ ସହିଦ ହୋଇଥିବା ଖବର ଆଜି ରାଇରଙ୍ଗପୁର ଥାନାରେ ପହଁଞ୍ଚିବା ପରେ ତାଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା। ଏହାପରେ ବଡ଼ଚମ୍ପାଉଦା ଗ୍ରାମରେ ଖେଳି ଯାଇଥିଲା ଶୋକର ଛାୟା। ସେହିପରି ଇଚିଣ୍ଡା ଗ୍ରାମରେ ଭଡ଼ା ଘରେ ରହୁଥିବା ସହିଦ ବୀର ଯବାନଙ୍କ ପରିବାରରେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଘର। ସ୍ତ୍ରୀ ଲକ୍ଷ୍ମୀ ସୋରେନ କାନ୍ଦି କାନ୍ଦି ସଂଜ୍ଞା ହରାଇ ବସିଥିବା ବେଳେ ବାପ ଛେଉଣ୍ଡ ହୋଇଥିବା ୩ ଝିଅର ଭବିଷ୍ୟତକୁ ନେଇ କାନ୍ଦିବାରେ ଲାଗିଥିଲେ। ସହୀଦ ନନ୍ଦୁରାମ ସୋରେନଙ୍କ ବାଲ୍ୟବନ୍ଧୁ ବଡ଼ଚମ୍ପାଉଦା ଗ୍ରାମର ମନୋରଞ୍ଜନ ହାଁସଦାଙ୍କ କହିବା ଅନୁସାରେ, ନନ୍ଦୁରାମ ହେଉଛନ୍ତି ସାନ ପୁଅ। ଗତ ଫେବୃଆରୀ ମାସରେ ନନ୍ଦୁ ତାଙ୍କର ଦ୍ୱିତୀୟ ଭାଇଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସି ମାର୍ଚ୍ଚ ୨ରେ ଫେରିଯାଇଥିଲେ। ବାପା କାହ୍ନୁ ମାଝି ଓ ମା’ଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଥିଲା। ପରିବାରରେ ସ୍ୱଳ୍ପ ପରିମାଣରେ ଚାଷ ଜମି ରହିଛି। ପରିବାରର ଅନ୍ୟ ଦୁଇ ଭାଇଙ୍କ ପରିବାର ସହିତ ନିଜ ସ୍ତ୍ରୀ ଲକ୍ଷ୍ମୀ ଓ ୩ ଝିଅ ସମସ୍ତ ଦାୟିତ୍ୱ ଉଠାଇ ଆସୁଥିଲେ। ନନ୍ଦୁ ରାଇରଙ୍ଗପୁର ବିଦ୍ୟାଳୟରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ରାଇରଙ୍ଗପୁର ମହାବିଦ୍ୟାଳୟରୁ + ୨ ପାସ କରି ୧୯୯୭ରେ ୧୬- ବିହାର ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ ଏବଂ ଲେଫ୍ଟଲାଣ୍ଟ ସୁବେଦାର ହୋଇଥିଲେ। ନନ୍ଦୁ ଖେଳକୁଦକୁ ବହୁତ ଭଲ ପାଉଥିଲେ। ସେ ୨୦୦୩ରେ ବିବାହ କରିଥିଲେ। ସେ ସହୀଦ ହେବା ଖବରରେ ଯେତିକି ଗର୍ବ ଅନୁଭବ କରୁଛି ସେହି ପରି ଜଣେ ଭଲ ବନ୍ଧୁଙ୍କୁ ହରାଇଥିବାରୁ ମଧ୍ୟ ଦୁଃଖ ଲାଗୁଛି ବୋଲି ବାଲ୍ୟବନ୍ଧୁ ବଡ଼ଚମ୍ପାଉଦା ଗ୍ରାମର ମନୋରଞ୍ଜନ ହାଁସଦା କହିଥିଲେ। ସେହିପରି ସହୀଦ ନନ୍ଦୁ ସୋମବାର ସକାଳ ସମୟରେ ସ୍ତ୍ରୀ ଲକ୍ଷ୍ମୀଙ୍କ ସହିତ ଶେଷ ଥର ବାର୍ତ୍ତାଳାପ କରିଥିବାର ଜଣାପଡ଼ିଛି । Share