ରାଜ୍ୟରେ ଆଉ ବଢିବନି ତାତି, କାଳବୈଶାଖୀ ବର୍ଷା ସମ୍ଭବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଏହି ମଧ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେବେ ରାଜ୍ୟରେ ଆଉ ଗରମ ବଢିବ ନାହିଁ। ପ୍ରାକ୍‌ ମୌସୁମୀ ବର୍ଷା ହେବାକୁ ଯାଉଛି।

ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଓଡ଼ିଶା‌ରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ବର୍ଷା ଆରମ୍ଭ ହେବା ସହ ପରେ ପ୍ରାକ୍‌ ମୌସୁମୀ ବର୍ଷା ହେବାକୁ ଯାଉଛି। ତେଣୁ ରାଜ୍ୟରେ ଆସନ୍ତା ୩/୪ଦିନ ଗରମ ବଢ଼ିବାର ସମ୍ଭାବନା ନାହିଁ। ସେହିପରି ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞା‌ନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ମଧ୍ୟ ୩୦ରୁ ୪୦କିମି ରହିବ। ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି।