ନୂଆଦିଲ୍ଲୀ,ଏଜେନ୍ସି: ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂରେ ଆଲୋଚନା ହେବ । କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି କରାଯାଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯିବା ସମ୍ପର୍କରେ ଆଲୋଚନା ହେବ । ଆସନ୍ତା ୧୪ ତାରିଖରେ ୨୧ ଦିନିଆ ଲକ୍ଡାଉନ୍ ଅବଧି ଶେଷ ହେଉଛି। ଏହି ଅବଧି ବୃଦ୍ଧି କରିବା ପାଇଁ ଅନେକ ରାଜ୍ୟ ସମର୍ଥନ କରିଛନ୍ତି ।
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛି । ସେହିପରି ପଞ୍ଜାବ ସରକାର ମଧ୍ୟ ମେ’ ୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢାଇଛନ୍ତି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କାଲି ଭିତରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି । କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଗତ ୨ ତାରିଖରେ ପିଏମ୍ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରରେ ବିପଦର ମୁକାବିଲା କରିବା ସହ ଟେଷ୍ଟିଂ, ଆଇସୋଲେସନ ଓ କ୍ୱାରେଣ୍ଟାଇନ୍ ଉପରେ ଫୋକସ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।