ସମାଜସେବୀଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିଛି। ଏଭଳି ସ୍ଥିତିରେ ବହୁ ଅସହାୟଙ୍କଠାରୁ ଆରମ୍ଭ କରି ଗରିବ ଦିବ୍ୟାଙ୍ଗ ସଙ୍କଟରେ ଜୀବନ ବିତାଉଛନ୍ତି। ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଠାରୁ ଆରମ୍ଭ କରି ବହୁ ସମାଜସେବୀ ଏବେ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ପରିସ୍ଥିତିରେ ସମାଜସେବୀ ପ୍ରତାପ ସାହୁ ସମସ୍ତଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି। ନିଜ ଖର୍ଚ୍ଚରୁ ଅସହାୟ, ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜଧାନୀର ଗଳିକନ୍ଦିରେ ସହାୟତା ଯୋଗାଉଛନ୍ତି। ଏଥିରେ ସେମାନେ ରାଜଧାନୀର ବିଭିନ୍ନ ଛକମାନଙ୍କରେ ଥିବା ୨ଶହରୁ ଉଦ୍ଧ୍ୱର୍ ପୁଲିସ୍ କର୍ମଚାରୀଙ୍କୁ ପାଣି ବୋତଲ, ମାସ୍କ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ କରୋନା ପାଇଁ ଲଢେଇ କରୁଛନ୍ତି। ଏହାସହିତ ରେଲୱେ ଷ୍ଟେସନ୍, ନବୀନ ନିବାସ ନିକଟ, ରାମମନ୍ଦିର ଛକ, ରାଜମହଲ ଛକ, ବରମୁଣ୍ଡା ପୁଟପାଥରେ ଖାଦ୍ୟ ଅଭାବରେ ପଡ଼ିରହିଥିବା ଲୋକଙ୍କୁ ପାଣିବୋତଲ, ପାଉଁରୁଟି, ବିସ୍କୁଟ ଓ ସିଝା ଅଣ୍ଡା ବଣ୍ଟନ କରୁଛନ୍ତି। ଭୋକ ଉପାସରେ ଯେମିତି କେହି ଜଣେ ନିରାଶ୍ରୟ ଲୋକ ନରହୁନ୍ତୁ, ସେଥିପାଇଁ ନିଜ ପ୍ରୟାସ ସେ ଜାରି ରଖିଛନ୍ତି। ସବୁଠାରୁ ଅଧିକ ପାଣି ପାଇଁ ସମସ୍ୟା ରହିଛି। ଖରାଦିନ ହୋଇଥିବାରୁ ଲୋକମାନେ ଖାଦ୍ୟ ଅପେକ୍ଷା ପାଣିପାଇଁ ଅଧିକ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଥିଲା। ସାରା ରାଜଧାନୀରେ ପ୍ରାୟ ୩ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏସବୁ ପାଇଁ ସେ କାହା ଉପରେ ନିର୍ଭର ନ କରି ନିଜ ଉପାର୍ଜିତ ରୋଜଗାରରୁ ସହାୟତା ପାଇଁ ହାତ ବଢାଇଛନ୍ତି। ବୋଲି ପ୍ରତାପ ସାହୁ କହିଛନ୍ତି।

ଏହବ୍ୟତିତ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଏବଂ ଭେଣ୍ଡିଂ ଜୋନ୍ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଖରାରେ କରୋନା ମୁକାବିଲା ପାଇଁ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି। ଏହାବ୍ୟତିତ ରାଜଧାନୀର ଅସହାୟ ଲୋକଙ୍କୁ ଟ୍ରଷ୍ଟ ପକ୍ଷରୁ ଭାତ ଓ ଚିଙ୍ଗୁଡି ଡାଲମା ଖାଇବା ପାଇଁ ଦିଆଯାଉଛି। ଏଥିରେ ତାଙ୍କୁ ଅନୁଜ ପ୍ରଧାନ, ସୁଦର୍ଶନ ପୃଷ୍ଟି, ନିରଞ୍ଜନ ପାଣ୍ଡେ, ସୁରେନ୍ଦ୍ର ପଟ୍ଟନାୟକ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ବାଣ୍ଟିଥିଲେ। ଲକ୍ ଡାଉନ୍ ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରହିବ। ଆସନ୍ତା ଦିନମାନଙ୍କରେ ୫ହଜାର ମାସ୍କ, ପାଣିବୋତଲ, ଶୁଖିଲା ଖାଦ୍ୟ ବଣ୍ଟାଯିବା ଦରକାର। ଗତ ୨୦ତାରିଖରୁ ସେ ପ୍ରୟାସ ଜାରି ରଖିଛନ୍ତି। ଏହି ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏଭଳି ବଣ୍ଟା ଚାଲିଥିବ ବୋଲି ଶ୍ରୀ ସାହୁ କହିଛନ୍ତି।