୩ ଦିନର ନବଜାତ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଏଠାରେ ଜଣେ ୩ ଦିନର ନବଜାତ ଶିଶୁ କରୋନାରେ ଆକ୍ରାନ୍ତ ହେବା ଲୋକଙ୍କୁ ଅଧିକ ଭୟଭୀତ କରିଛି। ମୁମ୍ବାଇର ଉପନଗର ଚେମ୍ବୁରର ଏକ ହସ୍ପିଟାଲରେ ପିଲାଟିର ଜନ୍ମ ହୋଇଛି। ଯେଉଁ ବେଡରେ ପିଲା ଓ ମା’କୁ ରଖାଯାଇଥିଲା ସେଠାରେ ପୂର୍ବରୁ ଜଣେ କରୋନା ପଜେଟିଭ ରୋଗୀ ରହିଥିଲେ। ସେଥିପାଇଁ ଏବେ ଉଭୟ ମା’ ଓ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କସ୍ତୁରବା ହସ୍ପିଟାଲରେ ୨ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ପିତା ନେଗେଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କିନ୍ତୁ ନିୟମାନୁସାରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଚେମ୍ବୁର ହସ୍ପିଟାଲର ଦାୟିତ୍ୱହୀନତା ପାଇଁ ମା’ ଓ ନବଜାତ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ପିତା ଆରୋପ ଲଗାଇଛନ୍ତି।