ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଭିନେତା ସବ୍ୟସାଚୀ ଦେଲେ ୧ ଲକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଏବେ କରୋନାର ଭୟାବହତା। କରୋନା ଭାଇରସ୍ ସଂକ୍ରମଣ ଓ ସମାଜ ଉପରେ ଏହାର ପ୍ରଭାବ ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏସମ୍ପର୍କରେ ସବ୍ୟସାଚୀ କହିଛନ୍ତି, ଏହି ପରିସ୍ଥିତିରେ ସମସ୍ତେ ଉଚିତ୍ ପଦକ୍ଷେପ ନେବାର ସମୟ ଆସିଛି। ଏହାବ୍ୟତୀତ ‘ସ୍ମାଇଲ୍ ପ୍ଲିଜ୍ ସଂଗଠନ’ ସହ ମିଶି ଏହି ସମୟରେ ସମାଜର ଗରିବ ଶ୍ରମିକ ଓ ଦିନ ମଜୁରିଆମାନଙ୍କ ପାଇଁ ଦୈନନ୍ଦିନ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ଚେଷ୍ଟା କରିବେ। ସମସ୍ତଙ୍କୁ ନିଜ ନିଜ ସାଧ୍ୟମତେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ସବ୍ୟସାଚୀ। ଏହାସହିତ ଏହି ଲକଡାଉନ୍ ସମୟରେ ସମସ୍ତ ନିୟମକୁ କଡ଼ାକଡ଼ି ଭାବରେ ମାନିବା ସହ ଘରେ ନିରାପଦର ସହ ରହିବାକୁ ସେ ନିବେଦନ କରିଛନ୍ତି।