‘କରୋନା’ ପାଇଁ ରାଜଧାନୀ ସିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ‘କରୋନା’ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପୂରା ରାଜଧାନୀ ଏବେ ସିଲ୍। ଗୋଟିଏ ଛକରୁ ଅନ୍ୟ ଛକକୁ ଯିବାପାଇଁ ହେଲେ ପୁଲିସ ଅନୁମତି ଦରକାର। ସହରର ହଂସପାଳ, ରସୁଲଗଡ଼, ଲକ୍ଷ୍ମୀସାଗର, କଳ୍ପନା, ପୁରୀ-ବାଇପାସ ରୋଡ୍, ରାଜମହଲ, ରୂପାଲି ଛକ, ବାଣୀବିହାର, ଜୟଦେବ ବିହାର, ନାଲକୋ ଛକ, ଏଜି ଛକ ଭଳି ପ୍ରମୁଖ ଛକଗୁଡ଼ିକୁ ପୁଲିସ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି।

କେବଳ ଜରୁରିକାଳୀନ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରିକୁ ଛଡ଼ା ଯାଉନାହିଁ। ପ୍ରତି ଛକରେ ବାଉଁଶ ପୋତାଯାଇ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ସେହିପରି କେତେକ ସ୍ଥାନରେ ଲୁହା ବାରିକେଡକୁ ମଧ୍ୟ ତିଆରି କରାଯାଉଛି। ପ୍ରତି ଛକରେ ୨ରୁ ଊଦ୍ଧ୍ୱର୍ ଅଧିକାରୀଙ୍କ ସମେତ କନଷ୍ଟେବଳ ପଦବୀର ପୁଲିସ କର୍ମଚାରୀ, ଟ୍ରାଫିକ୍ ପୁଲିସ ଓ ଯବାନମାନେ ନିୟୋଜିତ ହୋଇଛନ୍ତି। କେତେକ ଛକରେ ଚାରିଦିଗରେ ରାସ୍ତା ଥିବାରୁ ସେଠାରେ ସବୁ କୋଣକୁ ସିଲ୍ କରି ଦିଆଯାଇଛି। ମୁଖ୍ୟ ରାସ୍ତାକୁ କାହାରିକୁ ପୁଲିସ ଛାଡୁନାହିଁ।

ଯେଉଁ ବ୍ୟକ୍ତିମାନେ ବିନା କାମରେ ଘରୁ ବାହାରୁଛନ୍ତି ପୁଲିସ ତାଙ୍କୁ ତାଗିଦ କରିବା ସହ ବସ୍ ଉଠ୍ କରାଉଛି। ଏହାସହ କେତେକ ସ୍ଥାନରେ ଲାଠି ମାଡ଼ ମଧ୍ୟ ହେଉଛି। ଯାହା ଫଳରେ ଗୁରୁବାର ରାଜଧାନୀରେ ଅଳ୍ପସଂଖ୍ୟକ ଲୋକ ବାହାରିଥିଲେ। ପୁଲିସର ଏଭଳି କଡ଼ା ଶାସନ ଦେଖି ଲୋକମାନେ ସତର୍କ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଅତ୍ୟଧିକ ଖରା ହେଉଥିବାରୁ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ଗରମରେ ସନ୍ତୁଳି ହୋଇଯାଉଛନ୍ତି। ବିଚ୍ ରାସ୍ତାରେ ଖରାରେ ଡ୍ୟୁଟି କରିବା ସହ ଲୋକଙ୍କୁ ସତର୍କ କରାଇ ପୁଲିସ କର୍ମଚାରୀମାନେ ନୟାନ୍ତ ହୋଇପଡୁଛନ୍ତି। ଏହି ସମୟରେ ସେମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀମାନେ ପାଣି ଯୋଗାଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଥାନାଧିକାରୀମାନେ ସେମାନଙ୍କ ଅଞ୍ଚଳରେ ଦିନତମାମ ପାଟ୍ରୋଲିଂ କରୁଛନ୍ତି। ଯେଉଁଠି ଲୋକମାନେ ରୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି, ସେମାନଙ୍କୁ ଘଉଡ଼ାଇବା ସହ କଡ଼ା ଚେତାବନୀ ଦିଆଯାଉଛି। ଏହା ଦେଖି ଲୋକମାନେ ଏବେ ସତର୍କ ହୋଇଗଲେଣି। ଏମିତିକି ଲୋକମାନେ ଆବଶ୍ୟକ ଥିଲେ ମଧ୍ୟ ଘରୁ ବାହାରୁନାହାନ୍ତି। ସେତିକି ଜରୁରୀ ହେଲେ ଘରୁ ବାହାରୁଛନ୍ତି।
ସେହିପରି ରାଜଧାନୀର ଉପକଣ୍ଠ ଅଞ୍ଚଳରେ ଲୋକମାନେ ଏବେ ବି ଏକାଠି ହୋଇ ତାସ୍ ଖେଳୁଥିବା ଦେଖିବାକୁ ମିଳୁଛି। ଏନେଇ ପୁଲିସ ବାରମ୍ବାର ସେଠାକୁ ଯାଇ ତାଗିଦ କରିବା ସହ ସତର୍କ କରାଇଛି। କିନ୍ତୁ ଲୋକମାନେ ସୁଧୁରୁନାହାନ୍ତି। ଯାହଫଳରେ ସେଠାରେ ସଂକ୍ରମଣର ଆଶଙ୍କା ଥିବା ସ୍ଥାନୀୟ ଲୋକେ କହିଛନ୍ତି।