ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଲିଉଡ ଜଗତର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କରୋନା ସଚେତନତା ପାଇଁ ଅଭିନବ ପଦକ୍ଷେପ ନେଇଛନ୍ତି। ସେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଜାରି କରିଛନ୍ତି। ଏହି ଭିଡ଼ିଓ ମାଧ୍ୟମରେ ସେ ସାଧାରଣ ଜନତାକୁ କରୋନା ସଚେତନତା କରାଇବା ସହ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଜନତା କର୍ଫ୍ୟୁକୁ ସଫଳ କରାଇବାକୁ ଆହ୍ୱାନ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ କରୋନାକୁ ଆମେ ଭୟ କରିବା ନାହିିଁ। କରୋନାକୁ କିପରି ଦୂରେଇବା ସେ ନେଇ ସଜାଗ ରହିବା ଉଚିତ।
ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନକୁ ସଫଳ କରାଇବା ସହ କରୋନାକୁ ଦୂରେଇ ଦେବାକୁ କହିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀ, ଦେଶବାସୀ ତଥା ବିଶ୍ୱବାସୀଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ତାଙ୍କ ସହିତ ଆମ ପ୍ରତିନିଧି ଆଲୋଚନା କରିବା ବେଳେ ସେ କହିଛନ୍ତି, କଳା କେବଳ କଳାର ଚର୍ୟ୍ୟା ପାଇଁ ନୁହେଁ କଳାକାର ଲୋକଙ୍କ ମଙ୍ଗଳ ପାଇଁ ଆଗେଇ ଆସିବା ଉଚିତ। ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି ଓ କରୋନା ସଚେତନତା ପାଇଁ ଅନ୍ୟ କଳାକାରମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।