ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ : କମଲନାଥଙ୍କ କ୍ୟାବିନେଟରୁ ୬ ମନ୍ତ୍ରୀ ବହିଷ୍କୃତ

ଭୋପାଳ,ଏଜେନ୍ସି : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ଲାଲଜୀ ଟଣ୍ଡନ ୬ ଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ମନ୍ତ୍ରୀମାନେ ହେଉଛନ୍ତି ଇମର୍ତ୍ତି ଦେବୀ, ତୁଲସୀ ସିଲାୱାତ୍, ଗୋବିନ୍ଦ ସିଂହ ରାଜପୁତ, ମହେନ୍ଦ୍ର ସିଂହ ସିସୋଦିଆ, ପ୍ରଦ୍ୟୁମ୍ନ ସିଂହ ତୋମାର ଓ ପ୍ରଭୁରାମ ଚୌଧୁରୀ। ବହିଷ୍କୃତ ମନ୍ତ୍ରୀମାନଙ୍କ ବିଭାଗଗୁଡ଼ିକୁ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବିତରଣ କରାଯାଇଛି। ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଦାନ କରାଯାଇଛି ।

ଗୋବିନ୍ଦ ସିଂହଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ଓ ଯୋଗାଣ ବିଭାଗ ମିଳିଛି। ବ୍ରିଜେନ୍ଦ୍ର ସିଂହ ରାଠୋରଙ୍କୁ ପରିବହନ, ସୁଖଦେବ ପାନସେଙ୍କୁ ଶ୍ରମ, ଜିତୁ ପଟୱାରୀଙ୍କୁ ରାଜସ୍ୱ, କମଲେଶ୍ୱର ପଟେଲଙ୍କୁ ସ୍କୁଲ ଓ ତରୁଣ ଭାନୋଟଙ୍କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ କରାଯାଇଛି। ଶୁକ୍ରବାର ସକାଳେ ରାଜ୍ୟପାଳଙ୍କୁ ଭେଟି କମଲନାଥ କହିଥିଲେ ଯେ ତାଙ୍କ ସରକାର ପୂର୍ବଭଳି ଦୃଢ଼ ସ୍ଥିତିରେ ଅଛି। ନିଖୋଜ ବିଧାୟକଙ୍କୁ ଦଳକୁ ଫେରାଇ ଆଣିବା ପାଇଁ କମଲନାଥ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବିଧାୟକମାନେ ଏବେ ବେଙ୍ଗାଲୁରୁ ରିସର୍ଟରେ ଅବସ୍ଥାନ କରୁଥିବା ଜଣାପଡ଼ିଛି। କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ସମ୍ପର୍କ ତୁଟାଇ ସିନ୍ଧିଆ ଏବେ ବିଜେପିରେ ଯୋଗ ଦେଇଛନ୍ତି। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଦୁଇଟି ଆସନ ଖାଲିଅଛି ।

ଦୁଇଜଣ ବିଧାୟକଙ୍କ ବିୟୋଗ ଫଳରେ ଖାଲିଥିବା ଆସନକୁ ବାଦ୍ଦେଲେ ଏବେ ବିଧାନସଭାରେ ୨୨୮ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସର ୧୧୪ ବିଧାୟକ ଅଛନ୍ତି। ତେବେ ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୨୨ ବିଧାୟକଙ୍କୁ ବାଦ୍ଦେଲେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୨କୁ ଖସିଆସିବ। ସରକାର ବଞ୍ଚାଇବାକୁ କମଲନାଥଙ୍କୁ ମ୍ୟାଜିକ୍ ନମ୍ବର ୧୧୫ ବିଧାୟକଙ୍କ ସମର୍ଥନ ଜରୁରୀ। କଂଗ୍ରେସକୁ ବାଦ୍ଦେଲେ ବିଜେପି ନିକଟରେ ୧୦୯ ବିଧାୟକ ଅଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶ ବିଧାନସଭାରେ ବିଏସ୍ପିର ଦୁଇ, ସମାଜବାଦୀ ପାର୍ଟିର ଜଣେ ଓ ଚାରିଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ବିଏସପି ଓ ସମାଜବାଦୀ ପାର୍ଟି ବିଧାୟକଙ୍କ ସମେତ ୧୧୯ ଆସନ ଲାଭ କରି କମଲନାଥ ସରକାର ଗଠନ କରିଥିଲେ।