ଚର୍ଚ୍ଚ ନିକଟରେ ୨୪ ଜଣଙ୍କୁ ଗୁଳିକରି ହତ୍ୟା

ଓଗାଡୋଗୁ : ବୁର୍କିନା ଫାସୋରେ ଥିବା ଏକ ଚର୍ଚ୍ଚ ନିକଟରେ ୨୪ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଚର୍ଚ୍ଚର ଜଣେ ଧର୍ମଯାଜକ ବି ସାମିଲ ଅଛନ୍ତି । କିଛିଦିନ ଧରି ଅଶାନ୍ତ ଥିବା ଏହି ପଶ୍ଚିମ ଆଫ୍ରିକୀୟ ଦେଶରେ ଜଣେ ଧାର୍ମିକ ନେତାଙ୍କୁ ବିରୋଧ କରି ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ସେଠାରୁ ୩ ଜଣଙ୍କ ଅପହରଣ କରି ନିଆଯିବା ସହିତ ଦୁର୍ବୃତ୍ତମାନେ ଚର୍ଚ୍ଚରେ ନିଆଁ ଲଗାଇଦେଇଛନ୍ତି । ୟାଘା ପ୍ରଦେଶର ପାସନୀ ଅନ୍ତର୍ଗତ କସ୍‌ବେ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିବା ବାଉନ୍ଦୋରେ କମ୍ୟୁନ୍‌ର ମେୟର ସିହନରୀ ଓସନଗୋଲା ବ୍ରିଗାଡ଼ି କହିଛନ୍ତି ।

ଆକ୍ରମଣରେ ୨୦ ଦୁର୍ବୃତ୍ତ ସାମିଲ ଥିଲେ ବୋଲି ସୂଚନା ମଳିଛି। ସେମାନେ ଚର୍ଚ୍ଚ ନିକଟରେ ପହଞ୍ଚି ପୁରୁଷ ଏବଂ ମହିଳାମାନଙ୍କୁ ପ୍ରଥମେ ଅଲଗା କରିଦେଇଥିଲେ । ପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ ବୋଲି ଜଣାପଡ଼ିଛି।  ସେମାନଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚର୍ଚ୍ଚ ବାହାରେ ହୋଇଥିବା ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ କିଛି ମୁସଲମାନ ଥିବା ଜଣାପଡ଼ିଛି ।