ପୁଲୱାମା ଘଟଣାକୁ ପୁରିଲା ବର୍ଷେ କିନ୍ତୁ ଆଜିବି ସହୀଦଙ୍କୁ ଝୁରୁଛି ଦେଶ

ପୁଲଓ୍ୱାମା ଆକ୍ରମଣକୁ ଆଜି ବର୍ଷେ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି ମନେ ହେଉଛି। ଏହି ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯିବ। ୧୪ ଫେବ୍ରୁଆରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା।

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଯୋଜନା ବଦ୍ଧ ଭାବେ ଆଇଡି ଦ୍ୱାରା ବିସ୍ଫୋରଣ କରିଥିଲେ। ଏଥିରେ ଭାରତ ତାର ୪୦ ଜଣ ବୀର ପୁତ୍ରକୁ ହାରାଇଛି। ଆଗ ପଛ ହୋଇ ଗୋଟିଏ ଲାଇନ୍‌ରେ ପ୍ରାୟ ୭୪ଟି ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଯାଉଥିଲା। ଟ୍ରାଞ୍ଜିଟ୍‌ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ। ହେଲେ ହଠାତ୍‌ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଗୋଟିଏ ବସ୍‌ ସମ୍ପୂର୍ଣ୍ଣ ଛିନ୍‌ଛତ୍ର ହୋଇଯାଇଥିଲା। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ପାଖାପାଖି ୧୦ କିଲୋମିଟର ଅଞ୍ଚଳ ପର୍ୟ୍ୟନ୍ତ ଏହାର ଶବ୍ଦ ପହଞ୍ଚିଥିଲା। ବିସ୍ଫୋରଣ ପରେ ପୁରା ରାସ୍ତା ରକ୍ତରେ ଭିଜି ଯାଇଥିଲା। ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡ଼ିଥିଲା। ପୁରା ଦେଶ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଥିଲା। ଚାରିଆଡ଼େ ଖେଳିଯାଇଥିଲା ନୀରବତା। ଆଜି ସେ କଥା ଭାବିଲେ ରୋମ ଟାଙ୍କୁରି ଉଠୁଛି। ଆଉ ଆପଣା ଛାଏ ଆଖିରୁ ଲୁହ ବହାରି ଆସୁଛି।