ଭୁବନେଶ୍ୱର,ଏନ୍ଏନ୍ଏସ୍: ଚାଷୀ ଓଡ଼ିଶାର ବିକାଶର ସାରଥି। ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡ଼ିଶାର ସମ୍ମାନ ବଢ଼ିଛି ବୋଲି କୃଷି ଓଡ଼ିଶା-୨୦୨୦ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ ଓଅର୍ଥନୀତିର ଶକ୍ତି। ଚାଷୀମାନଙ୍କର ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବୃଦ୍ଧି କରିଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହୁ। ଚାଷୀ ପରିବାର ସବୁବେଳେ ଆନନ୍ଦରେ ରହୁ।

କୃଷିକୁ ଏକ ଲାଭଜନକ ବୃତ୍ତି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମରସୁଯୋଗ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ଘୋଷଣା କରିଥିଲେ। ଏହି ସମାରୋହରେ ଉଦ୍ବୋଧନ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କୃଷି କ୍ଷେତ୍ରରେ ବିଭିନ୍ନ ସଫଳତା ଉପରେ ଆଲୋକପାତ କରିବା ସହିତ ଚାଷୀ ଭାଇମାନଙ୍କୁ ଏହାର ଶ୍ରେୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସରକାରଙ୍କ ସାର ବିଭାଗର ସଚିବ ଛବିନ୍ଦ୍ର ରାଉଳ, ଏଫ୍ଆଇସିସିଆଇର ମହାସଚିବ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
