ଜେପି ନଡ୍ଡା ହେବେ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କଠାରୁ ବିଧିବଦ୍ଧ ଭାବେ ବିଜେପିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ ଜେପି ନଡ୍ଡା। ଖୁବ୍ ଶୀଘ୍ର ବିଜେପିର ନୂତନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ ନିର୍ବାଚନରେ ନଡ୍ଡାଙ୍କୁ ନିର୍ବିବାଦରେ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେବାପରେ ବିଜେପିର ନେତୃତ୍ୱ ପାଇଁ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା।

ଲୋକସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶ ଦାୟିତ୍ୱ ଗ୍ରହଣ କରି ନଡ୍ଡା ଚତୁରତାର ସହ ଗୋଟି ଚଳାଇ ୮୦ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୬୨ଟି ଆସନରେ ଜିତାଇଛନ୍ତି। ମୋଦୀଙ୍କ ପ୍ରଥମ ପାଳି ସରକାରରେ ଜେପି ନଡ୍ଡା କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଏବେମଧ୍ୟ ସେ ବିଜେପି ସଂସଦୀୟ ବୋର୍ଡରେ ସଭ୍ୟ ଅଛନ୍ତି।