୨୦୧୯ର ଶେଷ ମନ କି ବାତ’ରେ ମୋଦୀ

ନୂଆଦିଲ୍ଲୀ : “ଆଉ ୩ ଦିନରେ ବିଦାୟ ନେବ ୨୦୧୯, ତା ପରେ ଆମେ କେବଳ ୨୦୨୦କୁ ସ୍ୱାଗତ କରିବା ସେ କଥା ନୁହେଁ, ଆମେ ନୂଆ ଦଶକରେ ପ୍ରବେଶ କରିବା। ଆପଣମାନଙ୍କୁ ସମସ୍ତଙ୍କୁ ନୂଆବର୍ଷ ୨୦୨୦ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ୨୦୧୯ର ଶେଷ ମନ କି ବାତ’ରେ ଏହି ଭଳି କିଛି ବାର୍ତ୍ତା ସହ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁବ ସମାଜ ପ୍ରସଙ୍ଗରେ କହିଛନ୍ତି, ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି। ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ମୋଦୀ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି। ଆଜିର ଯୁବ ବର୍ଗ ଅଶାନ୍ତି ଓ ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନାହିଁ ବରଂ କୌଣସି ପ୍ରସଙ୍ଗ ଉପରେ ଯୁବ ପିଢ଼ି ନିଜର ମତାମତ ଉପସ୍ଥାପନ କରିବାରେ ବିଶ୍ୱାସ ରଖୁଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଓ ଦର୍ଶନକୁ ଲକ୍ଷ୍ୟ କରି କହିଛନ୍ତି – ଯୁବ ପିଢ଼ି ହେଉଛି ଶକ୍ତି ଓ ବିକାଶ ଅନ୍ୟ ନାଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତରେ ଜମ୍ମୁ, କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା କୌଶଳ ବିକାଶ ଯୋଜନା ‘ହିମାୟତ’ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି। ଯୁବ ପିଢ଼ିକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଏହି ଯୋଜନା ଉର୍ଦ୍ଦିଷ୍ଟ ହୋଇଥିବା ବେଳେ ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହେଉଥିବା ମୋଦୀ କହିଛନ୍ତି। ୧୫ରୁ ୩୫ବର୍ଷ ମଧ୍ୟରେ ଯୁବ ଗୋଷ୍ଠୀ ଯେଉଁମାନେ ବିଗତ ଦିନ ମାନଙ୍କରେ ଶିକ୍ଷା ଗ୍ରହଣ କରି ପାରି ନାହାନ୍ତି, ସେମାନଙ୍କୁ କୌଶଳ ବିକାଶ ଯୋଜନା ସହାୟକ ହେଉଥିବା ମୋଦୀ କହିଛନ୍ତି।