ସଂଜୟ କେମିତି ଜାଣିଲେ ଦୁଷ୍କର୍ମ ହୋଇନି? : ବିଜେପି

  • ନାବାଳିକାଙ୍କ ପୋଷ୍ଟମଟମ ରିପୋର୍ଟକୁ ସାର୍ବଜନୀନ କରାଯାଉ
  • ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ୱର,ଏନ୍ଏନ୍ଏସ୍:  ଗତ ୧୪ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଠାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ଅନ୍ୟପଟେ ବଳାତ୍କାରୀମାନେ ଶାସକ ଦଳର କର୍ମୀ ହୋଇଥିବାରୁ ପୋଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ । ଖୋଦ୍ ପୋଲିସ ଘଟଣାର ତଦନ୍ତକୁ ବାଟବଣା କରୁଛି । ସେହିପରି ଗତକାଲି ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ଏହି ଘଟଣାକୁ ମିଥ୍ୟା ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ନବରଙ୍ଗପୁର ପୁଲିସ ଘଟଣା ସମ୍ପର୍କରେ କୌଣସି ବିବୃତି ଦେଇନଥିବା ସମୟରେ ଦାସବର୍ମା କେମିତି ଜାଣିଲେ ଯେ, କୋଷାଗୁମୁୁଡ଼ାରେ ନାବାଳିକାଙ୍କୁ ବଳାକ୍ରାର କିମ୍ବା ହତ୍ୟା କରାଯାଇନାହିଁ? ବିଜେଡି ନେତା କଣ ଏବେ ରାଜନୀତି ଛାଡି ପୋଲିସର କାର୍ୟ୍ୟ କରିବା ଆରମ୍ଭ କଲେଣି କି ? ଏ ଘଟଣା ମିଥ୍ୟା ବୋଲି ସଂଜୟ ଦାସବର୍ମାଙ୍କୁ କେଉଁ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି? ଏମିତି ମନ୍ତବ୍ୟ ରଖି ଦାସବର୍ମା କ’ଣ ରାଜ୍ୟର ନାରୀମାନଙ୍କୁ ସମ୍ମାନିତ କରୁଛନ୍ତି କି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ ଅଭିଯୁକ୍ତମାନଙ୍କୁ ବଂଚାଇବାକୁ ଯାଇ ଯାଜପୁର ଏସ.ପି ମୃତା ସ୍ମିତାରାଣୀର ଚରିତ୍ର ହନନ କରିଥିଲେ । ଠିକ୍ ସମାନ ଢଙ୍ଗରେ ନବରଙ୍ଗପୁର ପୋଲିସ ଏବଂ ଦଳୀୟ କର୍ମୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସଂଜୟ ଦାସବର୍ମା ଘଟଣାକୁ ମିଥ୍ୟା ବୋଲି କହି ଘଟଣାକୁ ଚପେଇ ଦେବାକୁ ବସିଛନ୍ତି ।

ପୋଲିସ ପ୍ରଶାସନ ଏବଂ ବିଜେଡି ନିଜ ନିଜକୁ ବଂଚାଇବା ଯାଇ ବିଭିନ୍ନ ଘଟଣାରେ ଭାଗ ବଂଟା କରି ହତ୍ୟାକାରୀ ଏବଂ ବଳକ୍ରାରୀମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।  କୋଷାଗୁମୁଡ଼ା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନବରଙ୍ଗପୁର ପୋଲିସ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ନାବାଳିକାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନନ କରିବା ପାଇଁ  ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।