ଅଲୀଗଡ଼: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସୃଷ୍ଟି ହୋଇଥିବା ହିଂସା ଯୋଗୁ ବହୁ ପରିମାଣରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଗତ ୧୫ ତାରିଖରେ ଅଲୀଗଡ଼ରେ ହିଂସା ସୃଷ୍ଟି ହୋଇଥିଲା। ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ(ଏଏମୟୁ)ର ହଜାର ହଜାର ଛାତ୍ର ହିଂସାରେ ସାମିଲ ହୋଇଥିଲେ।
ହିଂସାରେ ନଷ୍ଟ ହୋଇଥିବା ସମ୍ପତ୍ତିର କ୍ଷତିଭରଣା ଲାଗି ୧୦ ହଜାର ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି। ଆରଏଏଫ କମାଣ୍ଡାଣ୍ଟଙ୍କ ପକ୍ଷରୁ ସରକାରୀ କାର୍ୟ୍ୟରେ ବାଧା ଦେବା, ୧୪୪ ଧାରା ଉଲ୍ଲଂଘନ କରିବା ଆଦି ଧାରାରେ ମାମଲା ରୁଜୁ ହୋଇଛି। ମାମଲାରେ ୧୦ ହଜାର ଅଜ୍ଞାତ ଛାତ୍ରଙ୍କୁ ହିଂସା ସୃଷ୍ଟିକାରୀ ବୋଲି ଦର୍ଶାଯାଇଛି। ବିକ୍ଷୋଭ ସମୟରେ ଆରଏଏଫର ୨ଟି କମ୍ପାନୀ ଯବାନ ଏଏମୟୁ ଆଖପାଖରେ ନିୟୋଜିତ ହୋଇଥିଲେ। ଛାତ୍ରଙ୍କ ହିଂସା ଯୋଗୁ ଆରଏଏଫର ବହୁ କ୍ଷତି ହୋଇଥିବା କୁହାଯାଇଛି।