ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଇପ ଜଳଯୋଗାଣ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର,୧୮ା୧୨/ଏନ୍ଏନ୍ଏସ୍: ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଉକ୍ତ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ ଯତ୍ନବାନ୍ ଥାଆନ୍ତି ଏବଂ ଭଲ ପିଇବା ପାଣିର ଉତ୍ତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି। ତେଣୁ ପିଇବା ପାଣିର ପରିଚାଳନା ଦାୟିତ୍ୱ ମା’ମାନଙ୍କୁ ଦିଆଯିବା ଏକ ପ୍ରଶଂସନୀୟ ପଦକ୍ଷେପ।
ମହିଳାମାନଙ୍କର ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭକରି କରି ଛତୁଆ ଯୋଗାଣ, ବିଦ୍ୟୁତ୍ ମିଟର ରିଡିଂ ପରି ଅନେକ ଦାୟିତ୍ୱ ଦେଇଛନ୍ତି ଏବଂ ସେମାନେ ମଧ୍ୟ ସଫଳତାର ସହ ନିର୍ବାହ କରୁଛନ୍ତି। ତେଣୁ ଜଳସାଥୀ ଭାବେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରସା ହାସଲ କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ। ‘ପ୍ରତି ପରିବାରକୁ ପାଇପ୍ ପାଣି’ ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇନେବେ ବୋଲ ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
