ଜାନୁଆରୀରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥାନ ଯାଞ୍ଚ: ଅବମାନନାକାରୀଙ୍କ ବନ୍ଦ ହେବ ଦରମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ କ୍ଷଣିକ ମଧ୍ୟରେ କ୍ୟାମ୍ପସରେ ପିଲାଙ୍କ ସମସ୍ୟାର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ବ୍ଲୁ’ପ୍ରିଣ୍ଟସ୍। ଏନେଇ ଜାନୁଆରୀରୁ ରାଜ୍ୟରେ ଥିବା ସବୁ ଡିଗ୍ରୀ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଉପସ୍ଥାନ ଯାଞ୍ଚ କରାଯିବ। ସେହିଭଳି ସେମାନେ କେତୋଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି ତାହା ମଧ୍ୟ ଯାଞ୍ଚ କରାଯିବ।

ଅଧ୍ୟାପକ, ଅଧ୍ୟାପିକାଙ୍କ ଲାଗି ୭ଘଣ୍ଟା ବାଧ୍ୟତାମୂଳକ ଏବଂ ସେମାନଙ୍କ ଲାଗି ବାୟୋମେଟ୍ରିକ ବ୍ୟବସ୍ଥା ହୋଇଥିବା ବେଳେ ଏହି ନିୟମକୁ କେଉଁମାନେ ଅବମାନନା କରିଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବ। ବିଭାଗର ନିୟମକୁ ଅବମାନନା କରିଥିବା ଏବଂ ନିର୍ଦ୍ଧାରିତ ସମୟରେ କଲେଜ ଆସିନଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ବିଳମ୍ବରେ ଆସିଥିବା କିମ୍ବା ୭ଘଣ୍ଟା କଲେଜରେ ଉପସ୍ଥାନ ନଥିବା ଅଧ୍ୟାପକଙ୍କ ଦରମା ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ଉପରେ ଉଚ୍ଚଶିକ୍ଷା ବିଭାଗର ରହିବ ତୀକ୍ଷ୍ଣ ନଜର। ଶିକ୍ଷାଦାନ ସମୟରେ ପଢ଼ାଇବା ଶୈଳୀକୁ ଅନୁଧ୍ୟାନ କରାଯିବ। ଉଭୟ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଲାଗୁ କରାଯିବ। କଲେଜ କ୍ୟାମ୍ପସରେ ପହଞ୍ଚବା ଏବଂ କଲେଜ ଛାଡ଼ିବା ଲାଗି ବିଭାଗ ପକ୍ଷରୁ ଯେଉଁ ନିୟମ ଧାର୍ଯ୍ୟ ହୋଇଛି ତାହା ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ କରାଯିବ।

ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶ ଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ ୬ମାସ ମଧ୍ୟରେ ଏହି ନିୟମକୁ କିପରି ଭାବେ ପାଳନ କରାଯାଇଛି ତାହାର ଅନୁଧ୍ୟାନ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।