ପୁଣି ଇଣ୍ଡିଆନ ଆଇଡୋଲରୁ ବହିଷ୍କୃତ ହେବେ ଅନୁ ମଲିକ

ମୁମ୍ବାଇ,ଏଜେନ୍ସି: ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲିକଙ୍କ ଉପରେ ମି ଠୁ ଅଭିଯାନରେ ଯୌନ ଅସଦାଚରଣର ଅଭିଯୋଗ ଲାଗିବା ପରେ ତାଙ୍କୁ ଇଣ୍ଡିଆନ୍‌ ଆଇଡୋଲର ସିଜିନ୍‌-୧୦ରୁ ବାହାରିବାକୁ ପଡ଼ିଥିଲା । କିନ୍ତୁ ବର୍ଷକ ପରେ ମି ଠୁ ମାମଲା ଥଣ୍ଡା ହେବା ପରେ ତାଙ୍କୁ ପୁଣି ଥରେ ଇଣ୍ଡିଆନ୍‌ ଆଇଡୋଲର ସିଜିନ୍‌-୧୧କୁ ଜଜଭାବେ ଡକା ଯାଇଥିଲା । ଏଭଳି ଅଭିଯୋଗ ଲାଗିବା ସତ୍ତ୍ୱେ ତାଙ୍କୁ ଚ୍ୟାନେଲ ଆଣିିଥିବାରୁ ଏବେ ପୁଣି ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି ।

ସିଜିନ୍‌-୧୧ରେ ୩ଜଣ ଜଜଙ୍କ ମଧ୍ୟରୁ ଏବେ ତାଙ୍କୁ ହଟାଇବା ପାଇଁ ସାଧାରଣରେ ଦାବି ହେଉଥିବାବେଳେ ଏ ନେଇ ସୋ’ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ସୂଚନା ମୁତାବକ, ଗତବର୍ଷ ଅନେକ କଳାକାର ଅନୁଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ ।

କଣ୍ଠଶିଳ୍ପୀ ସୋନା ମହାପାତ୍ର, ଶ୍ୱେତା ପଣ୍ଡିତ ଓ ସଙ୍ଗୀତଜ୍ଞ ଅଲିସା ଚିନାଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଯାହା ପରେ ତାଙ୍କୁ ଇଣ୍ଡିଆନ୍‌ ଆଇଡୋଲରୁ ବାହାର କରି ଦିଆଯାଇଥିଲା । ଏବେ ବିବାଦ ଥଣ୍ଡା ହୋଇଯାଇଥିବା ଭାବି ଇଣ୍ଡିଆନ୍‌ ଆଇଡୋଲର ନିର୍ମାତା ତାଙ୍କୁ ପୁଣି ସୋ’କୁ ଆଣିଥିଲେ । ଯାହାକୁ ଦେଖି ସୋନା ମହାପାତ୍ର ଓ ନେହା ଭାସିନ୍‌ ବିରୋଧ ପ୍ରଦର୍ଶନ କରିଥିଲେ ।