ଗଣଶିକ୍ଷା ବିଭାଗର ଅଦଭୁତ ବ୍ୟବସ୍ଥା : ଆଦର୍ଶ ବିଦ୍ୟାଳୟକୁ ଆଦର, ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲକୁ ହତାଦାର

ନିଯୁକ୍ତି ପ୍ରକ୍ରିୟା ଲାଗି ଘରୋଇ ସଂସ୍ଥାକୁ ଦାୟିତ୍ୱ ୧୦୦ଟି ବଦଳରେ ୩୦ଟି ଆଦର୍ଶ ସ୍କୁଲରେ ଆରମ୍ଭ ହେଲା ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ସରକାରଙ୍କ ଆଖିରେ ତ ସମସ୍ତେ ସମାନ। ସବୁ କର୍ମଚାରୀ ସମାନ। ତେବେ କଣ ପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ସବୁଯାକ ନିୟମ ଭଙ୍ଗା ଯାଇଛି? କ’ଣ ପାଇଁ ସେମାନଙ୍କୁ ଅହେତୁକ ସୁବିଧା ଦେଇଛନ୍ତି? କିଏ ନିୟମ ଭାଙ୍ଗିଛି? କ’ଣ ପାଇଁ ସମସ୍ତ ସରକାରୀ ନିୟମ ଉଲ୍ଲଂଘନ କରି ସେମାନଙ୍କୁ ନିଯୁକ୍ତି ଦେଉଛନ୍ତି ? ଏ ନେଇ କେହି ପ୍ରଶ୍ନ ବି କରୁନି। ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହାଘୋଟାଲା ଆରାମରେ ଭୟାନକ ରୂପ ନେବାରେ ଲାଗିଛି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଯେମିତି ସବୁଯାକ ନିୟମ ଭାଙ୍ଗି ଦିଆଯାଇଛି। ସରକାରରେ ନିଯୁକ୍ତ ହେଉଥିବା କୌଣସି ଶିକ୍ଷକ ୬ ବର୍ଷ ବେଶ କମ ଦରମାରେ କାମ କରୁଛନ୍ତି। ଠିକା ଚାକିରି କରୁଛନ୍ତି। ତା’ପରେ ଅନେକ ପ୍ରକ୍ରିୟା ଦେଇ ସେମାନଙ୍କ ଚାକିରିକୁ ନିୟମିତ କରାଯାଉଛି। ଏହାକୁ ନେଇ ଅନେକ ତୁମ୍ବିତୋଫାନ ହୋଇଛି। ଅନେକ ଲଢ଼େଇ ଓ ଧାରଣା ବି ଓଡ଼ିଶା ଦେଖିଛି। ମାଷ୍ଟର କ୍ୟାଣ୍ଟିନରେ ରକ୍ତପାତ ହୋଇଛି। କିନ୍ତୁ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କୁ ଆରମ୍ଭରୁ ନିୟମିତ କରି ଦିଆଯାଇଛି। ଯେଉଁଦିନରୁ ସେମାନେ ଚାକିରି କରୁଛନ୍ତି, ସେମାନଙ୍କୁ ସେହିଦିନରୁ ନିୟମିତ କରାଯାଇଛି। କଣ ପାଇଁ ଏମିତି ବ୍ୟବସ୍ଥା ବୋଲି ତାକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ।
ଏହାଠାରୁ ଆହୁରି ଆଶ୍ଚର୍ୟ୍ୟର ବିଷୟ ହେଉଛି- ଏହି ଶିକ୍ଷକମାନେ ଜୁନିଅର ଅଧ୍ୟାପକ ଶ୍ରେଣୀର ଦରମା ପାଉଛନ୍ତି। ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ସରକାର ସେମାନଙ୍କୁ ଦେଉଛନ୍ତି। କିନ୍ତୁ ଏମାନଙ୍କୁ ସରକାରୀ ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଇ ନାହିଁ। ବରଂ ଏକ ଘରୋଇ ଫାର୍ମ ଏମାନଙ୍କ ପରୀକ୍ଷା କରୁଛି ଓ ପରେ ସରକାର ନିଯୁକ୍ତି ଦେଉଛନ୍ତି। ନିୟମିତ ଚାକିରି ପାଇଁ ଘରୋଇ ଫାର୍ମ କେମିତି ନିଯୁକ୍ତି ପ୍ରକ୍ରିୟା କରିବ, ତାହା ହିଁ ସବୁଠାରୁ ବଡ଼ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟର ଅନ୍ୟାନ୍ୟ ବିଭାଗ ପାଇଁ ନିୟମିତ ନିଯୁକ୍ତି ନିମନ୍ତେ ପରୀକ୍ଷା ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ କରୁଛି କିମ୍ବା ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା କରୁଛନ୍ତି। ଶିକ୍ଷା ବିଭାଗର ସମସ୍ତ ପରୀକ୍ଷା ଏମାନେ କରୁଛନ୍ତି। ଏପରିକି ଆଦିବାସୀ ଓ ହରିଜନ ବିକାଶ ବିଭାଗ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ପରୀକ୍ଷା ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ କରୁଛି କିମ୍ବା ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା କରୁଛନ୍ତି। କିନ୍ତୁ ଆଦର୍ଶ ବିଦ୍ୟାଳୟରେ ଘରୋଇ ସଂସ୍ଥା କୋଉଠୁ ଓ କେମିତି ଆସିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିୟମିତ ନିଯୁକ୍ତି କଣ ପାଇଁ ଏକାଥରେ ନିଆଯାଉଛି ପ୍ରଥମ ପ୍ରଶ୍ନ ହୋଇଥିଲା ବେଳେ ଦ୍ୱିତୀୟରେ ଘରୋଇ ସଂସ୍ଥା ପରୀକ୍ଷାରେ କେମିତି ନିୟମିତ ନିଯୁକ୍ତି ଦିଆଯାଉଛି, ତାହା ହିଁ ବିରାଟ ପ୍ରଶ୍ନ। ୨୦୧୬ରୁ ଆରମ୍ଭରୁ ଏହା ଚାଲିଛି। ୨୦୦୦ରୁ ଅଧିକ ଶିକ୍ଷକ ନିୟମିତ ଭାବେ ଏପରି ନିଯୁକ୍ତି ପାଇ ସାରିଲେଣି। ଏ ସମସ୍ତ ପ୍ରକ୍ରିୟା ପାରଦର୍ଶୀ ହେଉନାହିଁ ଓ ଏଥିରେ ବିରାଟ ରାକେଟ କାମ କରୁଛି ବୋଲି ଅଭିଯୋଗ ହେଉଛି। ୨୦୧୬ରେ ପ୍ରଥମ ବର୍ଷ ତ ଏତେ ଜଲଦି ସମସ୍ତ ପ୍ର୍ରକିୟା ୨୦ ଦିନ ମଧ୍ୟରେ ସରିଗଲା ଯେ, କେହି ତାର ଟେର ପାଇଲେ ନାହିଁ। ପରେ ବି ସେଇଆ ହୋଇଛି। ଏଥିରେ ବ୍ୟାପକ ଅର୍ଥ କାରବାର ହେଉଛି ବୋଲି ଚର୍ଚ୍ଚା ବଢୁଛି। ଯେଉଁ କାରଣରୁ ପ୍ରତି ବର୍ଷର ନିଯୁକ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓ ମାମଲା ଅଦାଲତ ପର୍ୟ୍ୟନ୍ତ ଯାଇଛି। ଫଳରେ ଅଧିକା ପିଲାଙ୍କୁ ଡ଼କାଇ ପରୀକ୍ଷା କରି ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କୁହାଯାଉଛି। ସମସ୍ତ ନିଯୁକ୍ତିର ମୂଳରୁ ଯାଞ୍ଚ ପାଇଁ ଦାବି ଉଠିଛି।
ସେହିପରି ନିଯୁକ୍ତି ପାଇଥିବା ପୂର୍ବ ଶିକ୍ଷକମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରୁ ଅନେକ ଇଆଡ଼ୁସିଆଡ଼ୁ ସ୍ଥାନରୁ ବିଏଡ଼ କରିଛନ୍ତି। ଏମିତିକି କେହି କେହି ବର୍ଷକର ବିଏଡ଼ କରିଛନ୍ତି। ମାତ୍ର ତାହାକୁ ତଦାରଖ କରାଯାଉ ନାହିଁ। ବରଂ ଖାଲି ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କ ଶିକ୍ଷକଙ୍କୁ ତଦନ୍ତ ପରିସରକୁ ଅଣାଯାଉଛି। ଆଦର୍ଶ ବିଦ୍ୟାଳ ଶିକ୍ଷକମାନେ ଦୁଇ ବର୍ଷ ବିଏଡ଼ ନ କରିଥିଲେ କଣ ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି? କେବେ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ହେବ?
ସେହିପରି ଓଟିଇଟି ପରୀକ୍ଷା ପାସ ନ କରିଥିଲେ ବି ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯାଉଛି। ଓଟିଇଟି ପାସ କରିବା ପାଇଁ ସେମାନଙ୍କୁ ତିନି ବର୍ଷର ମହଲତ ଦିଆଯାଉଛି। କିନ୍ତୁ ଗଣଶିକ୍ଷା ବିଭାଗରେ ଓଟିଇଟି ପାସ ନ କଲାଯାଏ, କାହାରିକୁ ନିୟମିତ କରାଯାଉ ନାହିଁ। କ’ଣ ପାଇଁ ଏମିତି ଦୁଇଟି ମାନଦଣ୍ଡ ଓ କ’ଣ ପାଇଁ ଲକ୍ଷ ଲକ୍ଷ ପିଲାଙ୍କୁ ପଢାଉ ଥିବା ଶିକ୍ଷକମାନେ ବାରଦୁଆର ବୁଲୁଥିବା ବେଳେ ମାତ୍ର କେତେ ଶହ ପିଲାଙ୍କୁ ପଢାଉ ଥିବା ପିଲାଙ୍କୁ ଏତେ ସୁବିଧା ଦିଆଯାଇଛି ଓ ସବୁ ନିୟମ ଭାଙ୍ଗି ଦିଆଯାଇଛି, ତାହା ସନ୍ଦେହ ବଢାଇଛି।

ଘରୋଇ ସଂସ୍ଥା ପରୀକ୍ଷାରେ ନିୟମିତ ଚାକିରି। ମନଇଚ୍ଛା କାମ, ତଦାରଖ ନାହିଁ। ନିୟମିତ ଚାକିରି ନାଁ’ରେ ସରକାରୀ ଅର୍ଥର ଦୁରୂପଯୋଗ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ। ସମସ୍ତ ନିଯୁକ୍ତିର ଯାଞ୍ଚ ହେଉ

ଆଦର୍ଶ ବିଦ୍ୟାଳୟର ଶିକ୍ଷକମାନେ କୌଣସି ସରକାରୀ କାମ କରୁ ନାହାନ୍ତି। ଭୋଟର ଲିଷ୍ଟ ସଂଶୋଧନଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ସେମାନେ କରୁ ନାହାନ୍ତି। କିନ୍ତୁ ସବୁ ସୁବିଧା ଆରାମରେ ନେଇ ଯାଉଛନ୍ତି। ଏମିତିକି ଅତ୍ୟଧିକ ଉଚ୍ଚ ଦରମାରେ ପ୍ରତି ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଖେଳ ଶିକ୍ଷକମାନେ ବିନା କାମରେ ଦରମା ନେଉଛନ୍ତି। ଖେଳ ପଡ଼ିଆ ତ ନାହିଁ, ପିଲାଙ୍କୁ ସେ କଣ ଖେଳାଉଛନ୍ତି ଓ କଣ ପାଇଁ ତାଙ୍କୁ ଏତେ ଦରମା ମାଗଣାରେ ଦିଆଯାଉଛି, ତାହାର ଉତ୍ତର ଏବେ ଦେବା ଦରକାର। ନହେଲେ ସରକାରଙ୍କ କୋଟି କୋଟି ଟଙ୍କା ବରବାଦ ହେଉଛି। ସେହିପରି ମୋଟା ଦରମାରେ ନିଯୁକ୍ତି ପାଇଥିବା କଳା ଓ ସଙ୍ଗୀତ ଶିକ୍ଷକ ସତରେ କଣ କରୁଛନ୍ତି, ତାର ଆଦୌ ତଦାରଖ ହେଉନାହିଁ।
ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ନିଜକୁ ସଗର୍ବେ ସ୍ୱାଧୀନ ବୋଲି କହୁଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆମ ଉପରେ କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ଆଦର୍ଶ ବିଦ୍ୟାଳୟ ପକ୍ଷରୁ କୁହାଯାଉଛି। ଇଆଡ଼େ ଆଦର୍ଶ ବିଦ୍ୟାଳୟର ରାଜ୍ୟସ୍ତରୀୟ ଅଫିସରେ ମନିଟରିଂ ବି ଆଦୌ ହେଉନାହିଁ। କିଏ କ’ଣ କରୁଛି, କେମିତି କାମ କରୁଛି, କିଛି କେହି ଦେଖୁ ନାହାନ୍ତି। ଯେଉଁ କାରଣରୁ ପ୍ରଥମ ବର୍ଷ ଏହିସବୁ ବିଦ୍ୟାଳୟରେ ମାତ୍ର ୭୦ ପ୍ରତିଶତ ପିଲା ପାସ କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏତିକି ପିଲା ପାସ କ’ଣ ପାଇଁ କଲେ ବୋଲି ଥରୁଟିଏ ପ୍ରଶ୍ନ ବି କେହି କରୁ ନାହାନ୍ତି। ଫଳରେ ମନଇଚ୍ଛା ଢଙ୍ଗରେ ସରକାରଙ୍କ ଅର୍ଥରେ ସତେ ଯେମିତି ପିକନିକ ଚାଲିଛି। ଆଉ ଶିକ୍ଷକମାନେ ତା’ର ଭରପୁର ଫାଇଦା ନେଉଛନ୍ତି। କେହି ସେ ସ୍କୁଲ ପରିଦର୍ଶନ କରୁ ନାହାନ୍ତି କି ସେମାନେ କ’ଣ କରୁଛନ୍ତି- କେହି ଦେଖୁ ନାହାନ୍ତି। କ’ଣ ପାଇଁ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ ଗଠନ ହେଉନାହିଁ ବୋଲି ପ୍ରଶ୍ନ ଉଠିଛି। କ’ଣ ପାଇଁ ସରକାରୀ ଅର୍ଥର ଏମିତି ଅପବ୍ୟବହାର ହେଉଛି, ତାହା ଏକ ମସ୍ତବଡ଼ ପ୍ରଶ୍ନ ଭାବେ ରାଜ୍ୟ ଆଗରେ ଛିଡ଼ା ହୋଇଛି। ଏହାର ଉତ୍ତର ନିହାତି ଦରକାର।