ଇରାକ୍ ହିଂସାକାଣ୍ଡରେ ୨୭ ମୃତ : ଶତାଧିକ ଲୋକ ଆହତ

ବାଗଦାଦ୍, ଏଜେନ୍ସି : ଶୁକ୍ରବାର ଇରାକ୍ ସୁରକ୍ଷାକର୍ମୀ ଓ ଇରାନ୍ ସମର୍ôଥତ ବିଦ୍ରୋହୀ ସଂଗଠନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଅନ୍ୟୂନ ୨୭ ଜଣଙ୍କର ପ୍ରାଣହାନି ଘଟିଛି। ଖଣିଜ ତୈଳଭରା ଇରାକର ଆର୍ଥିକ ସ୍ଥିତି ଦୟନୀୟ। ଦୁର୍ନୀତିଗ୍ରସ୍ତ ସରକାର ଓ ଉତ୍କଟ ଦାରିଦ୍ର୍ୟ ବିରୋଧରେ ହଜାର ହଜାର ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଇରାକର ଦକ୍ଷିଣସ୍ଥିତ ଆମାରା ସହରରେ ବିଦ୍ରୋହୀ ସଂଗଠନ ଅସୈବ ଅଲ ଅଲ୍-ହକ୍ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ଇଣ୍ଟେଲିଜେନ୍ସ ଅଧିକାରୀ ପ୍ରାଣ ହରାଇଛନ୍ତି।

ସେହିପରି ପୁଲିସ ଗୁଳିରେ ଜଣେ ଉଗ୍ରପନ୍ଥୀ ନିହତ ହୋଇଛନ୍ତି। ଶୁକ୍ରବାର ପାଳିତ ଦେଶବ୍ୟାପୀ ଆନ୍ଦୋଳନରେ ପ୍ରାୟ ୧୮୦୦ ଲୋକ ଆହତ ହୋଇଛନ୍ତି। ସରକାରଙ୍କ ଶାସନରେ ଅତିଷ୍ଠ ହୋଇ ଲୋକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦେଶବାସୀ କର୍ମନିଯୁକ୍ତି, ପାଣି, ବିଦ୍ୟୁତ ଓ ସୁରକ୍ଷା ଦାବି କରିଛନ୍ତି। ଆନ୍ଦୋଳନ ଦମନ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରୁଛି। ଆବଶ୍ୟକ ସ୍ଥଳରେ ଲାଠିମାଡ଼ ଓ ରବର୍ ବୁଲେଟ୍ ବ୍ୟବହାର କରୁଛି। ଗତ ଦୁଇ ସପ୍ତାହ ଭିତରେ ପ୍ରାୟ ୧୫୭ ଲୋକ ମରିଛନ୍ତି ଓ ୬୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।